
୭ମ ଦିନରେ ପହଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ । ଅନେକ ଦେଶର ବାରଣ ସତ୍ତ୍ୱେ ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଛି ।
ଏହି ସଙ୍କଟ ସମୟରେ ୟୁକ୍ରେନକୁ ପଶ୍ଚିମ ଦେଶଗୁଡ଼ିକ ସହାୟତା କରୁଥିବା ବେଳେ ରୁଷକୁ ବିଭିନ୍ନ କମ୍ପାନୀ ଓ ଅନ୍ତର୍ଜାତୀୟ ସମୂହ ଏକ ଘରକିଆ କରୁଛନ୍ତି। ଆର୍ଥିକ କଟକଣା ଲାଗୁ ଥିବାରୁ ରୁଷ ଏବେ ବ୍ୟାପକ କ୍ଷତି ସହିବା ଆରମ୍ଭ କରିଛି। ତେଣୁ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ପରମାଣୁ ବୋମାର ଭୟ ଦେଖାଇଛନ୍ତି।
ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ, ତା’ହେଲେ ଏଥିରେ ନିଶ୍ଚିତ ପରମାଣୁ ବୋମାର ବ୍ୟବହାର ହେବ। ସେହିପରି ପୂରା ବିଶ୍ୱରେ ଧ୍ୱଂସର ତାଣ୍ଡବଲୀଳା ଦେଖାଯିବ ବୋଲି ସେ କହିଛନ୍ତି। ରୁଷ ୟୁକ୍ରେନ ସହ ଯୁଦ୍ଧ କରୁଥିବା ବେଳେ ଆଣବିକ ଅସ୍ତ୍ରକୁ ଆଲର୍ଟ ମୋଡରେ ରଖିଛି। ସେହିପରି ପାଣିରେ ଭିତରେ ରୁଷ ପରମାଣୁ ଅସ୍ତ୍ରର ସମରାଭ୍ୟାସ ଆରମ୍ଭ କରିଛି। ସାରା ବିଶ୍ୱ ଏହାକୁ ନେଇ ଆଶା ଆଶଙ୍କାରେ ଥିବା ବେଳେ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, ରୁଷ ସମସ୍ତ ପ୍ରକାରର କଟକଣା ପାଇଁ ପ୍ରସ୍ତୁତ ରହିଥିଲା। ହେଲେ ପଶ୍ଚିମ ଦେଶଗୁଡ଼ିକ ଆମ ଦେଶର ଖେଳାଳି, ସାମ୍ବାଦିକ ଓ ପ୍ରତିନିଧିଙ୍କୁ ଟାର୍ଗେଟ କରିବେ ବୋଲି ଆମେ କେବେ ଆଶା କରି ନଥିଲୁ। ଏବେ କିନ୍ତୁ ସେମିତି କିଛି ଘଟିଛି। ଯାହାକୁ ଆଦୌ ଗ୍ରହଣୀୟ ନୁହେଁ।
ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ମସ୍କୋ ଉପରେ ବିଭିନ୍ନ ପ୍ରକାରର କଟକଣା ଲଗାଇଥିଲେ। ରୁଷ ପାଇଁ ଆମେରିକା ତା’ ଏୟାର ସ୍ପେଶ ବନ୍ଦ କରିଛି। ସେହିପରି ୟୁକ୍ରେନକୁ ଯୁଦ୍ଧରେ ସହାୟତା କରିବା ପାଇଁ ଆମେରିକା ୧ ବିଲିୟନ ଡଲାରର ଆର୍ଥିକ ପାଣ୍ଠି ଯୋଗାଇ ଦେବ ବୋଲି ବାଇଡେନ କହିଛନ୍ତି। ସେ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧନ କରି କହିଛନ୍ତି, “ବର୍ତ୍ତମାନ ରୁଷ ଯୁଦ୍ଧ କ୍ଷେତ୍ରରେ ସଫଳତା ପାଇଥାଇ ପାରେ, କିନ୍ତୁ ତା’ର ଏଭଳି ଆଚରଣ ପାଇଁ ଦୀର୍ଘ ମିଆଦି କ୍ଷେତ୍ରରେ ଅନେକ କିଛି ହରାଇବାକୁ ପଡ଼ିବ।