ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ଜୀବନ ପ୍ରତି ବିପଦ ଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲେ | ନିଜେ ଜେଲେନସ୍କି ରୁଷ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ | ତାଙ୍କୁ ହତ୍ୟା କରିବା ପାଇଁ ରୁଷ ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା |
ଏସବୁ ଭିତରେ ଟାଇମ୍ସ ଅଫ ଲଣ୍ଡନରେ ସମସ୍ତଙ୍କୁ ଚକିତ କରିବା ଭଳି ଖବର ପ୍ରକାଶ ପାଇଛି। ମାତ୍ର ୭ ଦିନ ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ୩ ଥର ଉଦ୍ୟମ ହୋଇଛି। ହେଲେ ଏଥିରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ସଫଳତା ମିଳି ନଥିବା ଏହି ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟ ଅନୁଯାୟୀ, ରୁଷ ଆକ୍ରମଣ କରିବା ଦିନ ଠାରୁ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ୟୁକ୍ରେନରେ ସକ୍ରିୟ ହୋଇ ଯାଇଛନ୍ତି। ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ୩ ଥର ଉଦ୍ୟମ ମଧ୍ୟ ହୋଇଥିଲା। ହେଲେ ୟୁକ୍ରେନର ଗୁଇନ୍ଦା ଅଧିକାରୀମାନେ ଏହି ଯୋଜନାକୁ ପଣ୍ଡ କରିଦେଇଛନ୍ତି।
ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ କ୍ରେମଲିନ୍ ସମର୍ଥିତ ୱାଗନର୍ ଗ୍ରୁପର ଭଡ଼ାଟିଆ ସଦସ୍ୟ ଓ ଚେଞ୍ଚନ୍ ସ୍ପେଶାଲ୍ ଫୋର୍ସର ସଦସ୍ୟଙ୍କୁ ପଠା ଯାଇଛି। ହେଲେ ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବାରେ ସକ୍ଷମ ହୋଇନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୁଷ ସଂଘୀୟ ସେବା ମଧ୍ୟରେ ଥିବା ଯୁଦ୍ଧ ବିରୋଧୀ ବ୍ୟକ୍ତିମାନେ ହିଁ ଜେଲେନସ୍କିଙ୍କ ହତ୍ୟା ଉଦ୍ୟମକୁ ପଣ୍ଡ କରିବାରେ ସହଯୋଗ କରିଛନ୍ତି। ତାଙ୍କ ସହଯୋଗ ପାଇଁ ଏକ ବଡ଼ ବିପଦକୁ ଟଳାଯାଇ ପାରିଛି।
