
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପୌରନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇଉଠିଛନ୍ତି । ସେପଟେ ଶାସକ ଦଳ ପଞ୍ଚାୟତ ନିର୍ବାଚନର ବିଜୟ ପରମ୍ପରାକୁ ପୌରନିର୍ବାଚନରେ ବଜାୟ ରଖିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ବିରୋଧୀ ମଧ୍ୟ କମ ନୁହଁନ୍ତି । ସେମାନେ ମଧ୍ୟ ନିଜର ପ୍ରାର୍ଥୀଙ୍କୁ ନେଇ ବେଶ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌରନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି । ଏହା ସହ ଭୁବନେଶ୍ୱରରେ ବିଧାୟକଙ୍କ ବାସଭବନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଅନେକ ଆଶାୟୀ ବିଜେଡିରେ ମଧ୍ୟ ଯୋଗ ଦେଉଛନ୍ତି । ତେବେ କେଉଁମାନଙ୍କୁ ବିଜେଡି କର୍ପୋରେଟର ପ୍ରାର୍ଥୀ କରିବ ସେ ନେଇ ବିଧାୟକମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବିଜୟ ସମ୍ଭାବନା ଥିବା ଆଶାୟୀଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନରେ ପଡ଼ିବା ଆଶାରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି । ପଞ୍ଚାୟତ ନିର୍ବାଚନ ପ୍ରଭାବ ପୌର ନିର୍ବାଚନରେ ପଡ଼ିବା ଆଶାରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କୁ ଲମ୍ବା ଧାଡ଼ି ଲାଗିଛି ।
ଅନ୍ୟପଟେ ଭୁବନେଶ୍ୱର ମେୟର ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ମେୟର ମତଦାତାଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେବେ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୩ ଜଣ ବିଜେଡି ବିଧାୟକ ଥିବାବେଳେ ସାଂସଦୀୟ କ୍ଷେତ୍ରରେ ବିଜେପିର ଏକମାତ୍ର ଏମପି ଅଛନ୍ତି । ତଥାପି ଉଭୟ ଦଳମଧ୍ୟରେ ମେୟର ପଦପାଇଁ ଜୋରଦାର ଟକ୍କର ହେବାକୁ ଯାଉଛି । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୩ ମସିହାରେ କିରଣବାଳା ମଙ୍ଗରାଜ ଭୁବନେଶ୍ୱର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଦୀର୍ଘ ୨୯ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଜଣେ ମହିଳାଙ୍କୁ ଦାୟିତ୍ୱ ମିଳିବାକୁ ଯାଉଛି । ଏହି ପଦବୀକୁ ହାତେଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଉପୁଜୁଛି ।