ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଉଭୟ ଦେଶର ହଜାର ହଜାର ସୈନିକ ଏହି ଯୁଦ୍ଧରେ ଜୀବନ ହାରୁଛନ୍ତି । ତେବେ ଏହା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଆମେରିକାର ୩ଶହ ସାଂସଦ ତଥା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏପରି ଗୁହାରୀ କରିଛନ୍ତି ଜେଲେନସ୍କି। ତେବେ ସମ୍ଭବତଃ ଆପଣ ମୋତେ ଶେଷ ଥର ପାଇଁ ଜୀବିତ ଦେଖୁଛନ୍ତି। ଏହାପରେ କ’ଣ ଘଟିବ ତାହା ମୁଁ ଜାଣିନି।’ ରୁଷ କଡ଼ା ଆକ୍ରମଣ ସମ୍ମୁଖରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶି ଯାଉଥିବା ବେଳେ ସାହାଯ୍ୟ ଭିକ୍ଷା କରି ଏପରି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଏପରିକି ୟୁକ୍ରେନ ସେନା ସଶସ୍ତ୍ର ରୁଷ ସେନାର ମୁକାବିଲା କରିପାରୁ ନ ଥିବା ବେଳେ ଦିନକୁ ଦିନ ମାଡ଼ି ଚାଲିଛି ରୁଷ। ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜାକୁ ନେଇ ଚାଲିଛି ରୁଷ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନ ବାୟୁସୀମାର ସୁରକ୍ଷା ଲାଗି ପାଶ୍ଚାତ ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ୁଛନ୍ତି ଜେଲେନସ୍କି। ନିଜ ବାୟୁ ସୀମାକୁ ନୋ ଫ୍ଲାଇଂ ଜଡ଼୍ କରିବାକୁ ନାଟୋ ସମ୍ମୁଖରେ ଜେଲେନସ୍କି ଦାବି ରଖୁଥିଲେ ମଧ୍ୟ ତାହା ପାରିତ ହେଉନି।

ନଚେତ ଅଧିକ ଲଢ଼ୁଆ ବିମାନ ପଠାଇବାକୁ କହିଛନ୍ତି। ନାଟୋ ଜେଲେନସ୍କିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ଏହାଦ୍ୱାରା ରୁଷ ସହ ଲଢ଼େଇ ଅଧିକ ଜୋରଦାର ହେବ ବୋଲି କହିଛି । ଗତକାଲି ୟୁକ୍ରେନ ରାଷ୍ଟ୍ରପତି ପ୍ରାୟ ଏକ ଘଣ୍ଟା ଧରି ଆମେରିକା ସାଂସଦଙ୍କ ସହ କଥା ହୋଇଥିଲେ। ଏପରି ସମୟରେ ୟୁକ୍ରେନ ଉପରେ ରୁଷର ଘମାଘୋଟ ବୋମାମାଡ଼ ଚାଲିଥିବା ବେଳେ ବଡ଼ ବଡ଼ ଅଟ୍ଟାଳିକା ଧୂଳିରେ ମିଶୁଛି। ଏପରି ସମୟରେ ନିଜ ଦେଶବାସୀଙ୍କ ସହ ଛିଡ଼ା ହୋଇଥିବା ତଥା କିଭ୍ରେ ଥିବା ଜେଲେନସ୍କି ହତାଶ ହୋଇ ପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।