୧୨ ଦିନରେ ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପହଁଚିଥିବା ବେଳେ, ଯୁଦ୍ଧ କୁ ରୋକିବା ନିମନ୍ତେ ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ଥର ପାଇଁ ବୈଠକ ବସିବାକୁ ଯାଉଛି | ଯୁଦ୍ଧ ରୋକିବା ପାଇଁ ବୈଠକରେ ଆଲୋଚନା ହେବ | ତେବେ ଏହା ପୂର୍ବରୁ ଯୁଦ୍ଧ ରୋକିବା ପାଇଁ ୟୁକ୍ରେନ ଆଗରେ ସର୍ତ ରଖିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସେ କହିଛନ୍ତି ଋଷର ସୈନ୍ୟ ଅଭିଯାନ ସେତେବେଳେ ଅଟକିବ, ଯେତେବେଳେ କିଭ୍ ଅସ୍ତ୍ର ତ୍ୟାଗ କରିବ ଏବଂ ଋଷର ସମସ୍ତ ଦାବି ମାନିନେବ । ତୁର୍କି ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଉଥିବା ବେଳେ ଏଭଳି ସର୍ତ ରଖିଛନ୍ତି ପୁଟିନ୍ ।

ଯୁଦ୍ଧ ଆରମ୍ଭରୁ ପୁଟିନ ପ୍ରଥମେ କହୁଥିଲେ ୟୁକ୍ରେନକୁ ଦଖଲ କରିବା ନେଇ ଋଷିଆର ଅଭିପ୍ରାୟ ନାହିଁ । ବଢୁଥିବା ବିବାଦ ଦେଖି ଶନିବାର ପୁଟିନ କହିଥିଲେ, ୟୁକ୍ରେନର ସାମରିକ ଶକ୍ତି ଏବଂ ନାଜି ଶକ୍ତିକୁ ହଟାଇବେ । କିନ୍ତୁ ଅନେକ ସ୍ଥାନରେ ୟୁକ୍ରେନ ସେନାର ଜୋରଦାର ମୁକାବିଲା ପରେ ଏଭଳି ସ୍ୱର ବଦଳାଇଛନ୍ତି ଋଷିଆ ରାଷ୍ଟ୍ରପତି । ସିଧାସଳଖ କହିଛନ୍ତି ଯଦି ୟୁକ୍ରେନ ଆତ୍ମସମର୍ପଣ ନକରେ ଏବଂ ପୂର୍ବ ଆଭିମୁଖ୍ୟରୁ ଓହରି ନଆସେ, ତେବେ ୟୁକ୍ରେନ ଦେଶର ମାନ୍ୟତା ହରାଇବ । ଅର୍ଥାତ ୟୁକ୍ରେନକୁ ରୁଷ ଦଖଲ କରିନେବ |

ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଏକ ପ୍ରକାର ଦଖଲ କରି ନେଇଥିବା ରୁଷ ପୁଣି ଥରେ ଏକ ପ୍ରେସ୍‌ ବାର୍ତ୍ତାରେ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କିଙ୍କୁ ଧମକାଇଛନ୍ତି। ଯୁଦ୍ଧ ହେଉ କି ଆଲୋଚନା ଯେମିତି ହେଉ ମୁଁ ମୋର ଲକ୍ଷ୍ୟ ହାସଲ କରିବି ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ନାହିଁ ନଥିବା ଦୁଃଖ ଦୁର୍ଦ୍ଦଶାରେ ଛନ୍ଦି ହୋଇଛନ୍ତି ସାଧାରଣ ଲୋକେ। ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚି ଥିବା ବେଳେ ଏଯାଏଁ ୧.୫ ମିଲିଅନ୍‌ ୟୁକ୍ରେନ୍‌ ନାଗରିକ ଦେଶ ଛାଡ଼ିଲେଣି। ଗୋଟିଏ ପଟେ ଲଢ଼େଇ ଜାରି ରହିଥିବା ବେଳେ ଅନ୍ୟପଟେ ନାଗରିକିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ନେଇ ବଡ଼ ଚାଲେଞ୍ଜ ହୋଇଛି। ୱାର ଜୋନ୍‌ରେ ଫିସିଥିବା ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲା। କିନ୍ତୁ ଅଧିକାଂଶ ନାଗରିକ ଯିବା ରାଜି ନଥିବାରୁ ସ୍ଥାନାନ୍ତର ପ୍ରକ୍ରିୟା ଜଟିଳ ହୋଇଛି। ବିଷେଶ କରି ୟୁକ୍ରେନ୍‌ରେ ମାରିୟୁପୋଲ୍‌ରେ ଲୋକଙ୍କୁ ସ୍ଥାନାନ୍ତର କରିବାରେ ବାଧା ଉପୁଜିଛି। ଏଠାରେ ଲୋକଙ୍କ ପାଣି ଏବଂ ବିଜୁଳି ବ୍ୟବସ୍ଥାକୁ କାଟି ଦିଆଯାଇଛି। ତେବେ ଗତକାଲି ରୁଷର ମିଶାଇଲ ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଥିବା ଭିନ୍ନ୍ୟତସିଆ ଏୟାରପୋର୍ଟ ନଷ୍ଠ ହୋଇଛି । ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବାରୁ ଚିନ୍ତା ପ୍ରକଟ କରିଛି ଆମେରିକା। ଆମେରିକାର ଷ୍ଟେଟ୍‌ ସେକ୍ରେଟେରୀ ଆଣ୍ଟୋନୀ ବ୍ଲିଙ୍କେନ୍‌ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଆମେରିକା ପକ୍ଷରୁ ପୋଲାଣ୍ଡକୁ ୟୁକ୍ରେନ୍‌କୁ ଫାଇଟର ଜେଟ ଯୋଗାଇବା ପାଇଁ ସବୁଜ ସଙ୍କେତ ଦେଇଛି । ହେଲେ ଏହି ଯୁଦ୍ଧରେ ନାଟୋ ସଦସ୍ୟ ହସ୍ତକ୍ଷେପ କଲେ ପରିସ୍ଥିତି ଭୟଙ୍କର ହେବ ଏମିତିକି ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ପୁଟିନ।

ତେବେ ଆଜି ବସିବାକୁ ଥିବା ତୃତୀୟ ବୈଠକରେ କଣ ନିଷ୍କର୍ସ ବାହାରୁଛି ଏବେ ତାହାରି ଉପରେ ସମସ୍ତ ଦେଶର ନଜର ରହିଛି |