ଆଜି ଅନ୍ତର୍ଜାତୀୟ ମହିଳା ଦିବସ | ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍‌ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ । ତେବେ ଦିବସ ଅବସରରେ ଦେଶର ୨୯ଜଣ ମହିଳାଙ୍କୁ ମିଳିଛି ନାରୀଶକ୍ତି ପୁରସ୍କାର | ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ମିଳିଲା ନାରୀଶକ୍ତି ସମ୍ମାନ । 2020-21 ବର୍ଷରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ବିଶିଷ୍ଟ ଅବଦାନ ପାଇଁ ସମ୍ମାନିତ କରାଯାଇଛି ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟପତି ରାମନାଥ କୋବିନ୍ଦ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସୋମବାର ଲୋକ କଲ୍ୟାଣ ମାର୍ଗଠାରେ ଆୟୋଜିତ ଏକ ଆଲୋଚନାରେ ୨୦୨୦-୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କ ଅନନ୍ୟ ଯୋଗଦାନ ରହିଛି । ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ଯୋଗଦାନ ଦେଇନାହାନ୍ତି । ସମାଜର ବିକାଶରେ ସେମାନଙ୍କ ଯଥେଷ୍ଟ ଭୂମିକା ରହିଛି।