୧୪ ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ଋଷ କୁ ରୋକିବା ପାଇଁ ଅନେକ ଦେଶ ଋଷ ବିରୋଧରେ କଟକଣା ଲଗାଇଛନ୍ତି । ମାତ୍ର ଋଷ କାହାର କଟକଣା କୁ ଖାତିର ନ କରି ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ଆଉ ରୁଷିଆର ଏଭଳି ଆଚରଣ ପାଇଁ ଅନେକ କଟକଣାକୁ ସାମ୍ନା କରିବାକୁ ପଡିଛି ରାଷ୍ଟ୍ରପତି ପୁଟିନଙ୍କୁ । ଏହି ଭିତରେ ଆମେରିକା ରୁଷିଆ ବିରୋଧରେ ସବୁଠାରୁ ବଡ କଟକଣା ଲଗାଇଛି । ଆମେରିକାରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାର ତୈଳ ଓ ଗ୍ୟାସ ଉପରେ କଟକଣା ଲଗାଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଯାହା ପରେ ରୁଷିଆର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଉଛି ।
ନିଜ ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ରୁଷିଆ ଠାରୁ ତୈଳ ଗ୍ୟାସ ଓ କୋଇଲା ଆମଦାନୀ କରିବ ନାହିଁ ଆମେରିକା । ଆଉ ଏଭଳି ନିଷ୍ପତ୍ତି ନେଇ ରୁଷିଆକୁ ବଡ ଆର୍ଥିକ ସଂକଟ ଭିତରେ ଛନ୍ଦି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ଋଷ ୟୁକ୍ରେନ ଉପରେ ୫ଶହ କିଲୋଗ୍ରାମର ବମ୍ ମଧ୍ୟ ପ୍ରୟୋଗ କରିବାକୁ ପଛାଇ ନାହିଁ ପୁଟିନ୍ ବାହିନୀ । ଆଉ ଏଥିରେ ଅନେକ ସାଧାରଣ ଲୋକଙ୍କ ଜୀବନ ହାନି ହୋଇଛି । ଆମେରିକା ପ୍ରତ୍ୟକ୍ଷ ଭାବେ ୟୁକ୍ରେନକୁ ସେନା ସହାୟତା କରିବାକୁ ମନା କରିଦେଇଛି । ହେଲେ ସେପଟେ ରୁଷିଆ ବିରୋଧରେ କଟକଣା ଉପରେ କଟକଣା ଲଗାଇ ଚାଲିଛନ୍ତି ପାଶ୍ଚାତ୍ୟ ଦେଶ । ପୂର୍ବରୁ ତୈଳ ସପ୍ଲାଏ ଉପରେ କଟକଣା ନଲଗାଇବାକୁ ରାଷ୍ଟ୍ରପତି ପୁଟିନ ପାଶ୍ଚାତ୍ୟ ଦେଶକୁ ଦେଇଥିଲେ ଚେତାବନୀ ।
ରାଷ୍ଟ୍ରପତି ପୁଟିନ୍ କହିଥିଲେ, ଯଦି ତେଲ ଆମଦାନୀ ଉପରେ ପାଶ୍ଚାତ୍ୟ ଦେଶ କଟକଣା ଲଗାନ୍ତି ତାହାଲେ, ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩ଶହ ଡଲାର କରାଯିବ । ହେଲେ ରୁଷିଆର ଏହି ଧମକକୁ ଖାତିର କରି ନାହାଁନ୍ତି ବାଇଡେନ୍ ।
