ଛତିଶଗଡ ସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ କଲେ ଘୋଷଣା

ରାଜସ୍ଥାନ ପରେ ଏବେ ଛତିଶଗଡ କଂଗ୍ରେସ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ । ୨୦୦୪ ଜାନୁଆରୀ ପହିଲା ଠାରୁ ରାଜ୍ୟ ସରକାରଙ୍କ ଅଧିନରେ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ନୂଆ ପେନସନ ଯୋଜନା ପରିବର୍ତ୍ତେ ପୁରୁଣା ପେନସନ ଯୋଜାନ ଲାଗୁ ହେବ ବୋଲି ସେ ଘୋଷଣା କରିଛନ୍ତି ।

୨୦୦୩ ରେ କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପୁରୁଣା ପେନସନ ସ୍କିମକୁ ସମାପ୍ତ କରି ନୂଆ ପେନସନ ସ୍କିମ ଲାଗୁ କରିଥିଲେ ।

କହିରଖୁ କି ଛତିଶଗଡ ଓ ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନୁମାନ କରାଯାଉଛି ଯେ ରାଜ୍ୟ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଉଭୟ ରାଜ୍ୟର କଂଗ୍ରେସ ସରକାର ପୁରୁଣା ପେନସନ ଲାଗୁ କରିଛନ୍ତି । ହେଲେ କଂଗ୍ରେସ ଶାସିତ ରାଜ୍ୟମାନେ ଏଭଳି ଘୋଷଣା କରିବା ପରେ ଏବେ ବିଜେପି ଶାସିତ ରାଜ୍ୟରେ ଏନେଇ ଚାପ ପଡିବ । ବିଜେପି ଶାସିତ ରାଜ୍ୟମାନଙ୍କରେ ପୁରୁଣା ପେନସନ ସ୍କିମ ଲାଗୁ କରିବାକୁ ଦାବି ଉଠିଲାଣି । ରାଜସ୍ଥାନ ପରେ ଏବେ ଦ୍ୱିତୀୟ ରାଜ୍ୟଭାବେ ଛତିଶଗଡରେ ପୁରୁଣା ପେନସନ୍ ସ୍କିମ ଲାଗୁ ହୋଇଛି । ପ୍ରଥମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ ଫେବୃଆରୀ ୨୩ ତାରିଖରେ ଘୋଷଣା କରିଥିଲେ । ଏବେ ଛତିଶଗଡ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ୟୁପି ନିର୍ବାଚନରେ ବି ପୁରୁଣା ପେନସନ ସ୍କିମକୁ ନେଇ ରାଜନୀତି ଜୋର ଧରିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ପ୍ରଚାର ବେଳେ ଘୋଷଣା କରିଛନ୍ତି କି, ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତେବେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ପୁଣି ପୁରୁଣା ପେନସନ ସ୍କିମ ଲାଗୁ କରାଯିବ ।

Related Posts