ପଞ୍ଜାବରେ ଐତିହାସିକ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି(ଆପ୍‌) | ତେବେ ବିଜୟ ହାସଲ କରିବା ପରେ ଏବେ ପଞ୍ଜବରେ ସରକାର ଗଢ଼ିବ ଆପ୍‌ | ଆସନ୍ତା ୧୬ ତାରିଖ ଦନ ୧୨.୩୦ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ | ତେବେ ତା ପୂର୍ବରୁ ଆଜି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ନେଇ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ସରକାର ଗଠନ ପାଇଁ ଅନୁମତି ଲୋଡ଼ିଛନ୍ତି।

ଏଥିସହ ଏହି ଉତ୍ସବ ରେ ଯୋଗ ଦେବା ପାଇଁ ସେ ସମଗ୍ର ପଞ୍ଜାବ ବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି | ସମସ୍ତେ ସହିଦ ଭଗତ ସିଂହଙ୍କ ଗାଁକୁ ନିମନ୍ତ୍ରଣ |

ରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଛନ୍ତି, “ପଞ୍ଜାବର ପ୍ରତି ଘରକୁ ଲୋକମାନେ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେବେ। ସେମାନେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇବେ। ଆମେ ଭଲ କ୍ୟାବିନେଟ ଗଠନ କରିବୁ। ପୂର୍ବରୁ କେବେ ହେଲେ ନିଆ ଯାଇନଥିବା ନିଷ୍ପତ୍ତି ନେବୁ। ତେଣୁ ଆପଣମାନଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।”

ରାଜ୍ୟପାଳଙ୍କୁ ବିଧାୟକମାନଙ୍କ ସମର୍ଥିତ ପତ୍ର ହସ୍ତାନ୍ତର କରିବା ବେଳର ଫଟୋ ମଧ୍ୟ ମାନ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ଆପ୍ ପଞ୍ଜାବରେ ମାନଙ୍କୁ ମିଶାଇ ମୋଟ ୯୨ ଆସନରେ ଜିତିଛି। ଶୁକ୍ରବାର ସମସ୍ତ ୯୨ ଜଣ ବିଧାୟକଙ୍କ ବୈଠକ ବସିଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ମାନ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳ ନେତା ହୋଇଥିବାରୁ ମାନ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଏହାପୂର୍ବରୁ ବିଧାୟକମାନଙ୍କୁ ସେ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଆପଣମାନେ କେବେ ବି ଅହଂକାରୀ ହେବେ ନାହିଁ। ଯେଉଁମାନେ ଆମକୁ ଭୋଟ ଦେଇ ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଆମେ କାମ କରିବା। ଆପଣମାନେ ପଞ୍ଜାବୀଙ୍କ ବିଧାୟକ। ସେମାନେ ଆମକୁ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି। ଆମେ ସେମାନଙ୍କ ବିଶ୍ୱାସକୁ କେବେ ହେଲେ ଭାଙ୍ଗିବା ନାହିଁ।