ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ୧୮ ଦିନ ଧରି ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ପରସ୍ପରକୁ କଡା ଜବାବ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ୟୁକ୍ରେନର ଭସିଲକିଭରେ ଥିବା ଏୟାରବେସ ଉପରେ ରୁଷ ସେନା ବଡ ଆକ୍ରମଣ କରିଥିବାର କଥା ସାମ୍ନାକୁ ଆସିଛି । ସେପଟେ ଏୟାରବେସରେ ବିସ୍ଫୋରଣ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କାହିଁକିନା ୟୁକ୍ରେନ୍ ସେନାର ଗୋଳା ବାରୁଦ ସେଠାରେ ରଖାଯାଇଥିଲା।ଏନେଇ ଫେସବୁକ୍ ପେଜରେ ଲିଭିଭ୍ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ମ୍ୟାକ୍ସିମ୍ କୋଜିତ୍ସ୍କି ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଲିଭିଭର ଉତ୍ତରପଶ୍ଚିମକୁ ପ୍ରାୟ ୪୦ କିଲୋମିଟର୍ ଦୂରରେ ଲିଭିଭ୍ ଓବ୍ଲାଷ୍ଟରେ ଅବସ୍ଥିତ ଉପରୋକ୍ତ ସାମରିକ ଘାଟି ଉପରକୁ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା କଥା ସେ କହିଛନ୍ତି। ହେଲେ ଏହି ଆକ୍ରମଣରେ କାହାର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।
