ଆସାମ : ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ଏହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ଅଭିଯୋଗରେ ଗିରଫ ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ | ମୃତକ ଆସାମ ଗୌହାଟୀ ଅନ୍ତର୍ଗତ ଗରିଗାଓଁ(Garigaon) ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିକି ଅଲ୍ଲୀ । ତେବେ ବିକିର ମୃତ୍ୟୁ ହୋଇଥିବା ବେଳେ, ଆଉ ତାର ୪ ଜଣ ସହଯୋଗୀ ଏବେବି ଫେରାର ଅଛନ୍ତି | କୌଣସି ପତ୍ତା ନ ମିଳିଥିବା ବେଳେ ଖୋଜାଖୋଜି ଜାରି ରଖିଛି ପୋଲିସ |
ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ବିକି ଅଲ୍ଲୀ ଓ ତାର ୪ ଜଣ ସହଯୋଗୀ ଗୋଟିଏ ହୋଟେଲ ରୁମ୍ରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ଏହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ପୀଡିତା ନାବାଳିକା ଏନେଇ ସ୍ଥାନୀୟ ମହିଳା ଥାନାରେ ଅଭିଯୋଗ କରିଥିଲେ । ପୋକ୍ସୋ ଏବଂ ଆଇଟି ଆକ୍ଟ ଅଧିନରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜାଖାଜି କରିଥିଲା । ମାତ୍ର ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।
ଏହାପରେ ସୋମବାର ସେମାନଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ପୋଲିସ ଏବଂ ପଚରାଉଚରା ସମୟରେ ମୁଖ୍ୟ ଅଭିଯୁକ୍ତ ବିକି କାମରୁପ ଜିଲ୍ଲାର ଦାମପୁର ପାହାଡି ଅଞ୍ଚଳରେ ଲୁଚିଥିବା ନେଇ ସୂଚନା ପାଇଥିଲା । ପୋଲିସ ବିକି ନିକଟରେ ପହଞ୍ଚିବା ପରେ ସେ ଆତ୍ମସମର୍ପଣ କରିଥିଲା
| ପୋଲିସ ହେପାଜତକୁ ଆଣିଥିବା ବେଳେ, ହେଲେ ସେ ମଙ୍ଗଳବାର ବିଳମ୍ବିତ ରାତିରେ ଖସିଯିବାକୁ ଉଦ୍ୟମ କରୁଥିଲା । ପୋଲିସ ତାକୁ ଅଟକିବାକୁ କହିବା ସତ୍ତ୍ବେ ସେ ନ ମାନିବାରୁ ବାଧ୍ୟ ହୋଇ ପୋଲିସ ୪ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି |





