ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଲେ ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ୯ ବର୍ଷ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୧ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଜରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ଦୁଇ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ସୁଚନାଯୋଗ୍ୟ, ତୃତୀୟ ଶ୍ରେଣୀ ପଢୁଥିବା ନାବାଳିକାଜଣକ ଗତ ୨୦୧୮ ସେପ୍ଟେମ୍ବର ୨୨ରେ ଦିନ ୨ଟା ବେଳେ ପଡ଼ିଆକୁ ଶୌଚ ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ଚାପି ଧରି ଅପହରଣ କରି ନିକଟସ୍ଥ ଭାଲିଆତୋଟାକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ନାବାଳିକା ଯନ୍ତ୍ରଣାରେ ଚିତ୍କାର କରିବାରୁ ତା’ଛାତିକୁ କାମୁଡି,ବେକଚିପି ମାରି ସେଠାରେ ପକାଇ ଦେଇଥିଲା।

ନାବାଳିକା ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମର ଲୋକମାନେ ମିଶି ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରିଥିଲେ। କୌଣସି ଖୋଜଖବର ନମିଳିବାରୁ ନାବାଳିକାର ବାପା କୋଟଗଡ଼ ଥାନାରେ ଝିଅ ନିଖୋଜ ରିପୋର୍ଟ ଦେଇଥିଲେ। ଥାନାଧିକାରୀ କୋଟଗଡ଼ ଥାନା କେଶ୍ ନମ୍ବର ୪୩/୨୨ରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁ ଥିଲେ। ନାବାଳିକାଙ୍କ ବାପା ଓ ଗ୍ରାମବାସୀ ଖୋଜି ଖୋଜି ନିକଟସ୍ଥ ଭାଲିଆତୋଟାରେ ପହଞ୍ଚି ସେଠାରେ ଦେଖିବାକୁ ପାଇଲେ ଯେ ଅଭିଯୁକ୍ତ କାଦୁଅରେ ସର ସର ହୋଇ ଭାଲିଆତୋଟା ଆଡୁ ଆସୁଥିଲା। ପଚାରିବାରୁ ଟ୍ରାକ୍ଟର ଖରାପ ହେବାରୁ ମୁଁ ସେପଟୁ ଆସୁଛି କହି ଦଉଡି କି ପଳାଇଥିଲା l

ତାପରେ ନାବାଳିକା ପିତା ଓ ଗ୍ରାମବାସୀ ମାନେ ଅଭିଯୁକ୍ତଗଗନ ଆସୁଥିବା ରାସ୍ତା ଦେଇ ଆଗକୁ ଯାଇ ଖୋଜିବାରୁ ନାବାଳିକାର ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ି ଥିବାର ଦେଖି ପାଇଥିଲେ। ଥାନାକୁ ଖବର ଦେବାରୁ ପୋଲିସ ଟିମ୍ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ନାବାଳିକା ଓ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଗଗନକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Posts