ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଋଷ ଉପରେ ଅନେକ କଟକଣା ପରେ ବି ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଚନ୍ତି । ସେପଟେ ଏହି ଯୁଦ୍ଧ କୁ ନେଇ ଖୋଦ୍ ଋଷବାସୀ ନିନ୍ଦା କରୁଛନ୍ତି। ବଳ ଦେଖାଇ କାହାର ଜମି ଦଖଲ କରିବାକୁ ନାପସନ୍ଦ କରୁଛନ୍ତି ଋଷୀୟ ନାଗରିକ। ଏଥିପାଇଁ ଋଷର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଧାରଣ ଦେଖିବାକୁ ମିଳୁଛି।

କେବଳ ସାଧାରଣ ଲୋକ ନୁହେଁ, ଋଷ ସେନା ମଧ୍ୟ ଯୁଦ୍ଧ ଲଢ଼ିବାକୁ ଚାହୁଁ ନଥିବା କୁହାଯାଉଛି। ଏଥିପାଇଁ ସେନା ଯବାନ ଓ କର୍ମଚାରୀମାନେ ଦେହ ଖରାପ କହି ଛୁଟି ନେଇ ରହିଯାଉଛନ୍ତି ତ ଆଉ କିଏ ୟୁକ୍ରେନ ସେନା ଗୁଳିରେ ନିଜକୁ ନିଜେ ଆକ୍ରମଣ କରି ଆହତ ହୋଇ ଯୁଦ୍ଧ ମଇଦାନ ରୁ ନିଜକୁ ନିବୃତ ରଖୁଚନ୍ତି ।

ଏହାରି ଭିତରେ ପୁଟିନଙ୍କ ପ୍ରତିରକ୍ଷାମନ୍ତ୍ରୀ ବି ନିଖୋଜ୍ ହୋଇଯାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସର୍‌ଗେଇ ଶୋଇଗୁ ହାଟ୍‌ ସମସ୍ୟା କହି ଛୁଟି ରହିଯାଇଥିବା ଖବର ଶୁଣିବାକୁ ମିଳିଛି। ଦୀର୍ଘ ୧୨ ଦିନ ହେଲାଣି ତାଙ୍କୁ ଦେଖିବାକୁ ମିଳୁନାହିଁ। ଟିଭି ଚ୍ୟାନେଲ୍‌ରେ କେବଳ ତାଙ୍କର ପୁରୁଣା ଫଟୋ ଦେଖାଯାଉଛି ବୋଲି ବିରୋଧୀ ମିଡିଆରେ ଖବର ପ୍ରକାଶ ପାଇଛି।

ମାର୍ଚ୍ଚ ୧୮ ତାରିଖରେ ଶୋଇଗୁ କହିଥିଲେ ଯେ ସେ ୟୁକ୍ରେନ୍ ଆକ୍ରମଣକୁ ନେଇ ସେ ପୁଟିନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି। ଏହାପରଠାରୁ ତାଙ୍କର କୌଣସି ଭିଡିଓ ଓ ଫଟୋ ଦେଖିବାକୁ ମିଳୁନାହିଁ। ତେବେ ମନ୍ତ୍ରୀଙ୍କ ନିକଟତର ଲୋକମାନଙ୍କୁ ଠାରୁ ମିଳିଥିବା ଖବର ଅନୁସାରେ ତାଙ୍କର ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଛି।

ଏପଟେ ଯୁଦ୍ଧ ସମ୍ବନ୍ଧୀୟ ଋଷ ସେନା ସମସ୍ତ ପ୍ଲାନ ଲିକ୍‌ ହେଉଥିବାରୁ ଗୃହଭେଦୀ ବିଭୀଷଣଙ୍କୁ ଖୋଜିବାରେ ଲାଗିଛନ୍ତି ପୁଟିନ। ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଟିନ କହିଛନ୍ତି।

ସୂଚନା ଥାଉକି ଏପର୍ଯ୍ୟନ୍ତ ଋଷର ୧୦ ହଜାର ସୈନିକଙ୍କ ମୃତ୍ୟୁ ହେଲାଣି। ହଜାର ହଜାର ସୈନିକ ଆହତ ହୋଇଥିବା ଋଷ ସ୍ୱୀକାର କରିଛି।