କୌଣସି ପରିସ୍ଥିତିରେ ବି ମୁଁ ଇସ୍ତଫା ଦେବି ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ । ତାଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ପୂର୍ବରୁ ବୁଧବାର ବଡ଼ ବୟାନ ଦେଇ ଇମ୍ରାନ ଖାନ କହିଛନ୍ତି, କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ ବୋଲି ବିରୋଧୀଙ୍କୁ ମୁହଁ ତୋଡ ଜବାବ୍ ଦେଇଛନ୍ତି । ଇମ୍ରାନ ଦାବି କରିଛନ୍ତି ତାଙ୍କ ଦଳ ତହରିକ ଏ ଇନ୍ସାଫ (ପିଟିଆଇ) ଅବିଶ୍ୱାସ ପ୍ରସ୍ତାବରେ ବିଜୟୀ ହେବ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନିରକ୍ଷେପ ରହିବା ବୟାନକୁ ଭୁଲ ଭାବେ ଦର୍ଶାଯାଇଛି। ପିଡିଏମ ଏବଂ ଜେୟୁଆଇ-ଏଫର ଅଧ୍ୟକ୍ଷଙ୍କ ବିଷୟରେ ବୟାନ ଦେଇ ଇମ୍ରାନ କହିଛନ୍ତି ମୌଲାନ ଫଜଲୁର ରହମାନ ଦ୍ୱିଦାଶ ତମ ଖେଳାଳି ଏବଂ ତାଙ୍କୁ ଟିମକୁ ବାଦ ଦେବାର ସମୟ ଆସିଛି।

ବିରୋଧୀ ଇମ୍ରାନ ଖାନଙ୍କ ଅର୍ଥନୀତି, ସରକାର ପରିଚାଳନା ଏବଂ ବିଦେଶୀ ନୀତିକୁ ବର୍ବାଦ କରିଥିବା ଅଭିଯୋଗ ଆଣିଛନ୍ତି। ପାକିସ୍ତାନର ଇତିହାସ ରହିଛି, ସେଠାରେ କୌଣସି ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି।

ପାକିସ୍ତାନର ବିରୋଧୀ ମେଣ୍ଟ ପାଖରେ ପାର୍ଲିଆମେଣ୍ଟର ତଳ ସଦନରେ ୧୬୩ ସାଂସଦ ଅଛନ୍ତି। ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ ଅତି କମରେ ୧୭୨ର ବହୁମତ ଜରୁରୀ ।

ତାଜା ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନାର ଜଳ ,ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟଙ୍କ ସହ ସେନା ମୁଖ୍ୟ ବାଜୱାଙ୍କର ଏକ ବୈଠକ ବସିଥିଲା । ଯେଉଁଥିରେ ସମସ୍ତେ ଇମ୍ରାନଙ୍କୁ ଗାଦିଚ୍ଯୁତ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ସେପଟେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁସଲିମ୍ ଦେଶ ଉପରେ ବର୍ଷିଛନ୍ତି । ୪୮ତମ ଓ.ଆଇ.ସି. ସମ୍ମିଳନୀକୁ ଉଦଘାଟନ କରି ଇମ୍ରାନ୍ ଇସ୍ଲାମୋଫୋବିଆ ଓ ଆତଙ୍କବାଦ ଉପରେ ଆଲୋଚନା କରିଛନ୍ତି । ଇସଲାମର ତୁଳନା ଆତଙ୍କବାଦ ସହ କାହିଁକି କରାଯାଉଛି ବୋଲି ଇସଲାମିକ୍ ସହଯୋଗ ସଂଗଠନର ଦେଶଗୁଡ଼ିକୁ ପ୍ରଶ୍ନ କରିଛନ୍ତି ଇମ୍ରାନ୍ ।

କହିଛନ୍ତି ଇସଲାମ୍ ଛବିକୁ ବଞ୍ଚାଇବା ଲାଗି ମୁସଲିମ୍ ଦେଶ କିଛି କରୁ ନାହାନ୍ତି । ୧୫ ମାର୍ଚ୍ଚକୁ ଇସଲାମଫୋବିଆରୁ ରକ୍ଷା ପାଇବା ଲାଗି ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯାଇଛି । ଇମ୍ରାନ୍ ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ଘଟଣାକୁ ଅବତାରଣା କରି କହିଛନ୍ତି, ୧୫ ମାର୍ଚ୍ଚରେ ଜଣେ ବନ୍ଧୁକଧାରୀ ମସଜିଦରେ ପଶି ୫୦ ଜଣଙ୍କୁ ଗୁଳି କରିଥିଲା ।

ସେ ମସଜିଦରେ ଲୋକଙ୍କୁ କାହିଁକି ମାରିଲା ? କାରଣ ତାକୁ ଲାଗିଲା ସମସ୍ତ ମୁସଲିମ୍ ଆତଙ୍କବାଦୀ । ଇସ୍ଲାମୋଫୋବିଆ କେଉଁଠି ଆସିଲା, କିଏ ପ୍ରୋତ୍ସାହନ ଦେଲା ? ଏସବୁ ୯/୧୧ ଘଟଣା ପରେ ହୋଇଛି । ଏହାକୁ ବନ୍ଦ କରିବା ଲାଗି କିଛି ପ୍ରୟାସ କରାଯାଇନଥିବା ଇମ୍ରାନ ଅଭିଯୋଗ ଆଣିଛନ୍ତି । ଇସଲାମର ତୁଳନା ଆତଙ୍କବାଦ ସହ କରାଯାଉଛି ।

Related Posts