ଭୁବନେଶ୍ବର: ରାଜ୍ୟରେ ଆଜି ଚାଲିଛି ପୌର ନିର୍ବାଚନ ଲାଗି ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ହେଲେ ଭୁବନେଶ୍ବର ସ୍ଥିତ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ 2 ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । 4ଟି ପର୍ଯ୍ୟାୟରେ ଏଠାରେ ଗଣତି କରାଯିବ । କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ ପାଇଁ ଗଣତି ଡେରି ହୋଇଥିବା ସୂଚନା ମିଳିଛି । ସେହିପରି ଗଣତି ସମୟରେ ଷ୍ଟ୍ରଙ୍ଗରୁମ ଭିତର ଓ ବାହାରପଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ଯେପରି କୌଣସି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ନ ହୁଏ ସେ ଦିଗରେ ଧ୍ୟାନ ଦିଆଯାଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ପରବର୍ତ୍ତୀ ସମୟରେ ଏଭିଏମ ଭୋଟ ଗଣତି କରାଯିବ । ତେବେ ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗତକାଲି(ଶୁକ୍ରବାର) ପ୍ରବଳ ଗଣ୍ଡଗୋଳ ହୋଇଥିଲା । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଛାଉଣୀ ମଧ୍ୟରେ ଷ୍ଟ୍ରଙ୍ଗରୁମ୍ରେ ଜଣେ ଯୁବକ ପଶିଥିବା ନେଇ ବିଜେପି ଅଭିଯୋଗ କରିବା ପରେ ଏଭଳି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ପହନ୍ତ୍ମ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା ।





