ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଏହା ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ସିଟକୁ ହାତେଇଛି ବିଜେଡି । ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ତେବେ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।
ବିଜେପି ପ୍ରାର୍ଥୀ ସବିତା ସୁଆର ୪୫୭୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬୦୬୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି । ସଂଘମିତ୍ରା ମୋଟ ୨୦୨୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ । ଏହା ବ୍ରହ୍ମପୁର ମହାନଗରବାସୀଙ୍କ ବିଜୟ । ଏଥିଲାଗି ମୁଁ ସମସ୍ତ ମହାନଗରବାସୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବିଜୟୀ ପ୍ରାର୍ଥୀ ସଂଘମିତ୍ରା ଦଳେଇ କହିଛନ୍ତି ।





