ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ୬ ହଜାର ୯୯୯ ଗାଁରେ ନାହିଁ ଇଣ୍ଟରନେଟ ସୁବିଧା । ସେପଟେ ପ୍ରଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ବିଜେଡି ଏମପି ଅମର ପଟ୍ଟନାୟକ ପାର୍ଲାମେଣ୍ଟରେ ଏହାର ପ୍ରଶଂସା କରିଛନ୍ତି । ହେଲେ ଓଡ଼ିଶାର ୨୫ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ ସଂଯୋଗ ନଥିବା ନୈରାଶ୍ୟଜନକ ବୋଲି ସେ କହିଛନ୍ତି । ଅନ୍ୟପଟେ ଅର୍ଥ ବିଲ ୨୦୨୨ ଉପରେ ଆଲୋଚନା ବେଳେ ପଟ୍ଟନାୟକ କହିଛନ୍ତି ଯେ ଆମେ ଏବେ ପ୍ରଯୁକ୍ତି ଦୁନିଆରେ ବାସ କରୁଛେ । ଅଥଚ ଓଡ଼ିଶାର ୨୫ ହଜାର ଗ୍ରାମ ମଧ୍ୟରୁ ୬ ହଜାର ୯୯୯ଟି ଗ୍ରାମରେ ଇଣ୍ଟରନେଟ ସଂଯୋଗ ନାହିଁ । ଏହି ଲକ୍ଷ୍ୟ ପୂରଣ ଲାଗି ୨୫,୦୦ ମୋବାଇଲ ଷ୍ଟେଶନ ଆବଶ୍ୟକ ।
କେବଳ ଏତିକି ନୁହେଁ ବରଂ ଜିଏସଟି କ୍ଷତିପୂରଣର ୧୬୨୩ କୋଟି ଟଙ୍କା ପଡ଼ିରହିଛି । ଧାନ କିଣା ବାବଦ ସବସିଡି ଏଫସିଆଇ ନିକଟରେ ରହିଛି । କେନ୍ଦ୍ର ସରକାର ୧୫ ଲକ୍ଷ ଟନ ଉଷୁନା ଚାଉଳ ଉଙ୍ଖାଇବା ନେଇ ସ୍ପଷ୍ଟ କରୁନାହାନ୍ତି ବୋଲି ପଟ୍ଟନାୟକ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ୧୨ ଲକ୍ଷ ହିତାଧିକାରୀ ଅପେକ୍ଷା କରିଛନ୍ତି । ବଜେଟ ପ୍ରସ୍ତୁତି ବେଳେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ କାହିଁକି ବୋଲି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଓଡ଼ିଶାର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
