ରାଜ୍ୟବାସୀଙ୍କ ପାଇଁ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବର୍ଷକୁ ମାଗଣାରେ ମିଳିବ ୩ଟି ଗ୍ୟାସ୍‌ ସିଲିଣ୍ଡର

ଗୋଆ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଏଣିକି ବର୍ଷକୁ ମାଗଣାରେ ୩ଟି ଗ୍ୟାସ୍‌ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି । ପ୍ରତି ପରିବାର ପିଛା ବର୍ଷକୁ ଏହି ମାଗଣା ସିଲିଣ୍ଡର ମିଳିବ। ଦେଶରେ ଦିନକୁ ଦିନ ରୋଷେଇ ଗ୍ୟାସ୍‌ ଦର ଅହେତୁକ ବୃଦ୍ଧି ପାଉଛି। ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଂକ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ ମାସରୁ ଏହି ଫ୍ରି ଗ୍ୟାସ୍‌ ସିଲିଣ୍ଡର ପାଇବେ ଗୋଆବାସୀ।

ଗୋଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟର ପ୍ରତିଟି ପରିବାରକୁ ବାର୍ଷିକ ୩ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ। ସୋମବାର ଦିନ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ନେବାପରେ ଏଭଳି ଘୋଷଣା କରିଛନ୍ତି। ସୂଚନା ମୁତାବକ, ରାଜ୍ୟ ବିଜେପି ତରଫରୁ ବିଧାନସଭା ନିର୍ବାଚନ ବେଳେ ରାଜ୍ୟବାସୀଙ୍କୁ ବାର୍ଷିକ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହି ପ୍ରତିଶ୍ରୁତିକୁ ଗୋଆ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି।

ସୋମବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥ ନେବା ପରେ ପ୍ରମୋଦ ସାୱନ୍ତ ଏକ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଶପଥ ନେବା ପରେ ପ୍ରଥମ ବୈଠକରେ ବିଜେପି ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି (ମାଗଣା ଗ୍ୟାସ ସିଲିଣ୍ଡର) ପୂରଣ କରିବା ଦିଗରେ ପଦକ୍ଷେପ ନେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ରେ ଗୋଆ ମୁଖ୍ୟମନ୍ତ୍ରୀ ଥିବା ମନୋହର ପାରିକରଙ୍କ ଦେହାନ୍ତ ପରେ ଦଳ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ହେଲେ ଚଳିତ ବିଧାନସଭା ନିର୍ବାଚନରେ ଦଳ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ନିର୍ବାଚନ ଲଢି ରାଜ୍ୟରେ ଏକ ବଡ ଦଳ ଭାବେ ଉଭା ହୋଇଛି।

Related Posts