ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୮ ବର୍ଷ ପରେ ଭାରତ ଓ ନେପାଳ ମଧ୍ୟରେ ପୁଣିଥରେ ରେଳ ସେବା ଆରମ୍ଭ ହୋଇଛି । ନେପାଳର ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳ ସେବାକୁ ଉଦଘାଟନ କରିଛନ୍ତି। ଏହି ଟ୍ରେନ୍ ସେବା ବିହାରର ଜୟନଗରରୁ ନେପାଳର ଜନକପୁର ଦେଇ କୁର୍ତ୍ତା ପର୍ୟ୍ୟନ୍ତ ଯିବ । ଏପ୍ରିଲ୍ ୩ ରୁ ସାଧାରଣ ଯାତ୍ରୀମାନେ ମଧ୍ୟ ଏହି ଯାତ୍ରା ଉପଭୋଗ କରିପାରିବେ । ଭାରତ ଏବଂ ନେପାଳ ମଧ୍ୟରେ ରେଳ ସେବା ମୋଟ ୩୪.୯ କିଲୋମିଟର ହେବ । ରେଳ ସେବା ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରେଳ ସେବା ଆରମ୍ଭ ହେବା ଦୁଇ ଦେଶ ମଧ୍ୟରେ ଘନିଷ୍ଠତା ଆଣିବ।
ସେପଟେ ଜୟନଗରରୁ କୁର୍ତ୍ତା ଯାତ୍ରା ମଧ୍ୟରେ ସମୁଦାୟ ୯ ଟି ଷ୍ଟପ୍ ରହିବ । ବିହାରର ଜୟନଗରରୁ ଟ୍ରେନ୍ ଆରମ୍ଭ କରିବା ପରେ ଇନରବାରେ ଟ୍ରେନଟି ରହିବ । ଏହା ପରେ ପରବର୍ତ୍ତୀ ଷ୍ଟେସନ ଖଜୁରୀରେ ରହିବ । ଏହି ଟ୍ରେନ୍ ଖଜୁରୀରୁ ମହିନାଥପୁର, ମହିନାଥପୁରରୁ ବୈଦେହୀ, ବୈଦେହୀ ଠାରୁ ପରବାହା, ପରବାହାରୁ ଜନକପୁର ଏବଂ ଜନକପୁର କୁର୍ତ୍ତା ପର୍ୟ୍ୟନ୍ତ ମାର୍ଗରେ ଚଳାଚଳ କରିବ। ସେପଟେ ଜୟନଗରରୁ ବିହାରର କୁର୍ତ୍ତା ପର୍ୟ୍ୟନ୍ତ ସାଧାରଣ ଶ୍ରେଣୀର ଭଡା ୫୬.୨୫ ଟଙ୍କା ଥିବାବେଳେ ଏସି କୋଚର ଭଡା ୨୮୧.୨୫ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
