ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଲକ୍ଷ୍ମୀପୁର ଖେରୀ ମାମଲାର ଶୁଣାଣି ହୋଇଥିଲା। ଜାମିନ ବାତିଲ ପାଇଁ ଆଶିଷ ମିଶ୍ରଙ୍କ ଆବେଦନ ଉପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ସିଜେଆଇ ଏନଭି ରମନା, ଜଷ୍ଟିସ ସୂର୍ୟ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଏସଆଇଟିର ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବାକୁ ଏକ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ବିଚାରପତି ୟୁପି ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ଆଶିଷ ମିଶ୍ରଙ୍କ ଜାମିନ ବାତିଲ ଆବେଦନ ଉପରେ ୟୁପିର ଷ୍ଟାଣ୍ଡ କ’ଣ? ବୋଲି ପଚାରିଥିଲେ । ତେବେ ଖସି ପଳାଇବାର ଆଶଙ୍କା ନ ଥିବାରୁ ଲଖିମ୍ପୁର ଖେରୀ ମାମଲାରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ଉତ୍ତର ପ୍ରଦେଶ ସରକାର କହିଛନ୍ତି।
ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଶିଷଙ୍କ ଜାମିନ ମଞ୍ଜୁରିକୁ ଚାଲେଞ୍ଜ୍ କରି ଦାଖଲ କରାଯାଇଥିବା ପିଟିସନ୍ର ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଶୁଣାଣି ବେଳେ ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଥିଲେ କି, ଅପରାଧ ସାଙ୍ଘାତିକ ନିଶ୍ଚୟ। କିନ୍ତୁ, ସାକ୍ଷୀମାନଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଥିବାରୁ ପ୍ରମାଣ ଜାଲିଆତି ହେବାର ସମ୍ଭାବନା ନ ଥିଲା। ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଓକିଲ ମହେଶ ଜେଠାମାଲିନୀ କହିଥିଲେ, ଆଶିଷ ମିଶ୍ରା ଅଭ୍ୟାସଗତ ଅପରାଧୀ ନୁହନ୍ତି। ଯଦି ସେମତି ହୋଇ ଥାଆନ୍ତେ ତାଙ୍କୁ ଜାମିନ ମିଳି ନ ଥାଆନ୍ତା।‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ ଜାମିନ ଖାରଜ କରିବାକୁ କହିଥିଲେ ମଧ୍ୟ ଉତ୍ତର ପ୍ରଦେଶ ସରକାର କାହିଁକି କର୍ଣ୍ଣପାତ କଲେ ନାହିଁ ବୋଲି ସୁପ୍ରିମ୍ କୋର୍ଟ ପଚାରିବାରୁ ଆଶିଷଙ୍କ ଓକିଲ ବିଚାରପତିମାନଙ୍କୁ କହିଲେ, ଯଦି ସୁପ୍ରିମ୍ କୋର୍ଟ ତାଙ୍କ ଜାମିନ ଖାରଜ କରିଥାଆନ୍ତେ ତେବେ ଅନ୍ୟ କୌଣସି ଅଦାଲତ ସେ ମାମଲା ଗ୍ରହଣ କରି ନ ଥାଆନ୍ତେ। ଯୁକ୍ତି ପରେ ସୁପ୍ରିମ୍ କୋର୍ଟ ଏହି ମାମଲା ଉପରେ ଦେଇଥିବା ଆଦେଶକୁ ସଂରକ୍ଷିତ ରଖିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
