ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଦୁଇ ଦଳିତ ଭଉଣୀଙ୍କୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ବିଜେପି ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକ୍ତ କରୁଥିବା ଲୋକଙ୍କ ଠାରୁ ମହିଳାଙ୍କ ସୁରକ୍ଷା ଆଶା କରାଯାଇପାରିବ ନାହିଁ। ଏନେଇ ଟ୍ୱିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଲଖିମପୁରରେ ଦୁଇ ଦଳିତ ଭଉଣୀଙ୍କୁ ସ୍ପଷ୍ଟ ଦିବାଲୋକରେ ଅପହରଣ ଏବଂ ହତ୍ୟା ଏକ ବିବ୍ରତ କରିବା ଭଳି ଘଟଣା। ବିଜେପି ନେତୃତ୍ୱାଧୀନ ଗୁଜୁରାଟ ସରକାର କ୍ଷମା ନୀତି ଅନୁଯାୟୀ ଦୁଷ୍କର୍ମକାରୀଙ୍କୁ ମୁକ୍ତ ବୁଲିବାକୁ ଦେଇଥିଲେ । ଗତ ମାସରେ ଗୋଧ୍ରା ଉପ-ଜେଲରୁ ମୁକ୍ତ ହୋଇଥିବା ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯିବା ସମ୍ପର୍କରେ ପୂର୍ବତନ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, “ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁ ସ୍ୱାଗତ କରୁଥିବା ଲୋକଙ୍କ ଠାରୁ ମହିଳାଙ୍କ ସୁରକ୍ଷା ଆଶା କରାଯାଇପାରିବ ନାହିଁ।”
ଅନ୍ୟପଟେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧିକୁ ନେଇ ବିଜେପି ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରତିଦିନ ଖବରକାଗଜ ଏବଂ ଟେଲିଭିଜନରେ ମିଥ୍ୟା ବିଜ୍ଞାପନ ଦେବା ଆଇନ ଶୃଙ୍ଖଳାରେ ଉନ୍ନତି ଆଣିନଥାଏ। ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଘୃଣ୍ୟ ଅପରାଧ କାହିଁକି ବୃଦ୍ଧି ପାଉଛି ? ଏନେଇ ସରକାର କେବେ ଚେତିବେ ? ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏକ ଆଖୁ କ୍ଷେତରେ ଦୁଇ ଭଉଣୀଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା ବୋଲି ପୋଲିସ କହିଛି। ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଫଳରେ ଏହି ମାମଲାରେ ଗୁରୁବାର ୬ ଜଣଙ୍କୁ ଗିରଫ କରିଛି ପୋଲିସ ।
