ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ଦକ୍ଷିଣରେ ଅବସ୍ଥିତ ଉପକୂଳବର୍ତ୍ତୀ ଦେଶ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ବିଷୟରେ ସମସ୍ତଙ୍କୁ ଜଣା । ଖରାପ ଆର୍ଥିକ ଅବସ୍ଥା ହେତୁ ସେଠାରେ ଥିବା ଲୋକମାନେ ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ପର‌୍ୟ୍ୟନ୍ତ ସବୁକିଛି ପାଇଁ ହତାଶ ହେବାରେ ଲାଗିଛନ୍ତି । ଏହା ପଛର କାରଣ ହେଉଛି ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ନିଜର ଆୟ ଏବଂ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ବଜାୟ ନରଖିବା । ଯେଉଁଥିପାଇଁ ଆଜି ସେମାନଙ୍କ ଦେଶରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ସେପଟେ ଭାରତରେ ଏପରି ଅନେକ ରାଜ୍ୟ ଅଛି ଯାହାର ଋଣ ଶ୍ରୀଲଙ୍କା ସହିତ ସମାନ । ଆଜି ଆମେ ଆପଣଙ୍କୁ ଭାରତର ସେହି ରାଜ୍ୟଗୁଡ଼ିକ ବିଷୟରେ କହିବୁ, ଯିଏ ଉଚ୍ଚ ଋଣ ଭାରରେ ପତି ହୋଇ ରହିଛି । ଏହି କ୍ଷେତ୍ରରେ, ଭାରତର ଅଗ୍ରଣୀ ବୋଲି ବିବେଚନା କରାଯାଉଥିବା ରାଜ୍ୟଗୁଡିକ ଶୀର୍ଷରେ ଅଛନ୍ତି । ଭାରତ ସରକାରଙ୍କ ଖର୍ଚ୍ଚ ବିଭାଗ ଅନୁଯାୟୀ ତାମିଲନାଡୁର ୬.୬ ଲକ୍ଷ କୋଟି, ମହାରାଷ୍ଟ୍ରର ୬ ଲକ୍ଷ କୋଟି, ପଶ୍ଚିମବଙ୍ଗର ୫.୬ ଲକ୍ଷ କୋଟି, ରାଜସ୍ଥାନର ୪.୭ ଲକ୍ଷ କୋଟି ଏବଂ ପଞ୍ଜାବର ୩ ଲକ୍ଷ କୋଟି ଟଙ୍କା ଋଣ ରହିଛି। ବଢ଼ୁଥିବା ଋଣକୁ ନେଇ ଅଧିକାରୀମାନେ ଉଦବେଗ ପ୍ରକାଶ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ନିକଟରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଅଧିକାରୀମାନେ ନିର୍ବାଚନ ସମୟରେ ଅନେକ ରାଜ୍ୟରେ ଦିଆଯାଇଥିବା ଜନପ୍ରିୟ ପ୍ରତିଶ୍ରୁତି ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ଅଧିକାରୀ କହିଛନ୍ତି ଯେ ଏଭଳି ପ୍ରତିଶ୍ରୁତି ହେତୁ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ଅଧିକ ବୋଝ ହୋଇପାରେ ଏବଂ ଦେଶର ଅନେକ ରାଜ୍ୟରେ ପରିସ୍ଥିତି ମଧ୍ୟ ଶ୍ରୀଲଙ୍କା ଭଳି ହୋଇପାରେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ବୈଠକ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ଯେଉଁଥିରେ ଦେଶର ବହୁ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ ମିଶ୍ରଙ୍କ, ଏନଏସଏସ ଅଜିତ ଡୋଭାଲ ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବା ଯୋଗ ଦେଇଥିଲେ। ଏହା ମଧ୍ୟରେ ବଢ଼ୁଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶ୍ରୀଲଙ୍କାବାସୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କାରେ ଚା’ର ମୂଲ୍ୟ ପ୍ରାୟ ୧୦୦ ଟଙ୍କାରେ ପହଞ୍ଚିଛି। ଲୋକଙ୍କ ପାଖରେ ଖାଇବାକୁ ଜିନିଷ ନାହିଁ । ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୧୩- ୧୩ ଘଣ୍ଟାର ବିଦ୍ୟୁତ୍ କାଟ ହେଉଛି । ନିକଟରେ ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଡିଜେଲ ଏବଂ ୪୦ ହଜାର ଟନ୍ ଚାଉଳର ଚାରୋଟି ସାମଗ୍ରୀ ପଠାଇଛି ।