ନୂଆଦିଲ୍ଲୀ: ଚର୍ଚାରେ ଉତ୍ତରପ୍ରଦେଶର ଗୋଣ୍ଡାର ଜେଲ୍ ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଆଶ୍ରମ | ବାପୁଙ୍କ ଆଶ୍ରମରୁ ଏକ ବଡ ଖବର ଆସିଛି । ଅଶାରାମଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ନାବାଳିକାର ବୟସ ୧୩ରୁ୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ, ଏପ୍ରିଲ ୫ରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ । ହେଲେ ଆଜି ସକାଳୁ ଆଶ୍ରମର କାର ପାର୍କିଂ ଅଞ୍ଚଳରୁ ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇଛି ।
ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ଆଶ୍ରମର ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି | ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଶ୍ରମରେ ମୃତଦେହ ମିଳିବା ଖବର ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳରେ ଭୟ ଖେଳିଯାଇଛି । ଏହି ମାମଲା ସହରର କୋତୱାଲୀ ଅଞ୍ଚଳ ଅନ୍ତର୍ଗତ ଭିମୋରର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୨୦୧୩ରେ ନିଜ ଆଶ୍ରମରେ ଜଣେ ଯୁବତୀଙ୍କୁ ବଳାତ୍କାର କରି ଆଶାରାମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୩ରୁ ଯୋଧପୁରର ସେଣ୍ଟ୍ରାଲ ଜେଲ୍ ରେ ସେ ବନ୍ଦୀ ଅଛନ୍ତି । ୨୦୧୮ରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ଆଶାରାମ ଜାମିନ ପାଇଁ ଅନେକ ଥର ଆବେଦନ କରିଛନ୍ତି ମାତ୍ର ସବୁ ଥର ତାଙ୍କୁ ନିରାଶ ହେବାକୁ ପଡିଛି |





