ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଆଭିମୁଖ୍ୟ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦଳ ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ପଚରାଉଚରା କରୁଛନ୍ତି। କୁହାଯାଉଛି ଯେ ଇଡି ସୋମବାର ଦିନ ଖଡଗେଙ୍କୁ ଡକାଇଥିଲା। ସେ ସକାଳ ପ୍ରାୟ ୧୧ ଟା ସମୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ଯାଳୟରେ ପହଞ୍ଚିଥିଲେ ।
ନ୍ୟାସନାଲ ହେରାଲ୍ଡ ମାମଲା କ’ଣ ?
ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅର୍ଥାତ୍ ଏଜେଏଲ ର ମାଲିକାନା ଥିଲା ଯାହାକି ଆହୁରି ଦୁଇଟି ଖବରକାଗଜ ପ୍ରକାଶ କରିଥିଲା । ହିନ୍ଦୀରେ ‘ନବଜୀବନ’ ଏବଂ ଉର୍ଦ୍ଦୁରେ ‘କୌମୀ ଆୱାଜ୍’ । ସ୍ୱାଧୀନତା ପରେ, ୧୯୫୬ ମସିହାରେ, ଆସୋସିଏଟେଡ୍ ଜର୍ଣ୍ଣାଲ୍ ଏକ ଅଣ-ବ୍ୟବସାୟିକ କମ୍ପାନୀ ଭାବରେ ପ୍ରତିଷ୍ଠିତ ହେଲା ଏବଂ ଏହା କମ୍ପାନୀ ଅଧିନିୟମର ଧାରା ୨୫ ଅନୁଯାୟୀ ଟିକସମୁକ୍ତ ମଧ୍ୟ ହେଲା । ହେଲେ ୨୦୦୮ ମସିହାରେ, ଏଜେଏଲ ସମସ୍ତ ପ୍ରକାଶନକୁ ସ୍ଥଗିତ ରଖିଥିଲା । ଏବଂ କମ୍ପାନୀ ଉପରେ ୯୦ କୋଟିର ଋଣ ରହିଥିଲା । ତା’ପରେ କଂଗ୍ରେସ ନେତୃତ୍ୱ ‘ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍’ ନାମକ ଏକ ନୂତନ ଅଣ-ବ୍ୟବସାୟିକ କମ୍ପାନୀ ଗଠନ କରିଥିଲା ଯେଉଁଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ମୋତିଲାଲ ଭୋରା, ସୁମନ ଦୁବେ, ଓସ୍କାର ଫର୍ଣ୍ଣାଣ୍ଡିସ୍ ଏବଂ ସାମ ପିଟ୍ରୋଡା ନିର୍ଦ୍ଦେଶକ ହୋଇଥିଲେ। ଏହି ନୂତନ କମ୍ପାନୀରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଖରେ ୭୬% ସେୟାର ଥିବାବେଳେ ବାକି ୨୪% ସେୟାର ଅନ୍ୟ ନିର୍ଦ୍ଦେଶକଙ୍କ ପାଖରେ ରହିଥିଲା ।
କଂଗ୍ରେସ ଦଳ ମଧ୍ୟ ଏହି କମ୍ପାନୀକୁ ୯୦ କୋଟି ଟଙ୍କା ଋଣ ଦେଇଛି। ଏହି କମ୍ପାନୀ ଏଜେଏଲକୁ ଅଧିଗ୍ରହଣ କରିଥିଲା । ଏହି ସମୟରେ କଂଗ୍ରେସ ନେତାଙ୍କ ଉପରେ ପ୍ରତାରଣା ଅଭିଯୋଗ କରି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୨୦୧୨ ରେ ଏକ ପିଟିସନ ଦାଖଲ କରିଥିଲେ। ସେ ତାଙ୍କ ଆବେଦନରେ କହିଛନ୍ତି ଯେ ‘ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ’ କେବଳ ୫୦ ଲକ୍ଷ ଟଙ୍କାରୁ ୯୦.୨୫ କୋଟି ଟଙ୍କା ଫେରସ୍ତ କରିବାର ଏକ ଉପାୟ କାଢ଼ିଛି । ଯାହା “ନିୟମ ବିରୁଦ୍ଧ” ଅଟେ । ୫୦ ଲକ୍ଷ ଟଙ୍କାରେ ଏକ ନୂତନ କମ୍ପାନୀ ଗଠନ କରି ‘ଏଜିଏଲ୍’ର ୨୦୦୦ କୋଟି ଟଙ୍କା ସମ୍ପତ୍ତିକୁ ନିଜର କରିବା ପାଇଁ ଏହା ଏକ ଚାଲ ବୋଲି ଏହି ଆବେଦନରେ ଦର୍ଶାଯାଇଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାରେ ଚାରିଜଣ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିଛନ୍ତି ଏବଂ ନୂତନ କମ୍ପାନୀରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ସାମ ପିଟ୍ରୋଡା, ସୁମନ ଦୁବେ, ଓସ୍କାର ଫର୍ଣ୍ଣାଣ୍ଡିସ୍ ଏବଂ ମୋତିଲାଲ ଭୋରା ସମେତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଡକାଇଛନ୍ତି। ।





