ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୩ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଗୁଜରାଟ ଭଦୋଦରାର ମଞ୍ଜଲପୁର ବିଧାନସଭା ଆସନକୁ ଭାରତୀୟ ଜନତା ପାର୍ଟି ପୁଣି ନିଜ ଦଖଲକୁ ନେଇଛି। ବିଜେପି ପ୍ରାର୍ଥୀ ସତୀଶ ପଟେଲ ୩୦,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରାବାରୀଙ୍କୁ ପରାସ୍ତ କରିଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ସତୀଶ ପଟେଲ ଓ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରାବାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଭୋଟ ଗଣତି ଆରମ୍ଭ ସତୀଶ ପଟେଲ ଆଗରେ ରହିଥିଲେ। ଶେଷ ପର୍ଯ୍ୟାୟ ଗଣତି ସୁଦ୍ଧା ସତୀଶ ପଟେଲ ମୋଟ ୫୫,୪୮୧ ଭୋଟ ପାଇ ବିଜୟ ହାସଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ବିଧାୟକ ଯୋଗେଶ ପଟେଲଙ୍କ ଦେହାନ୍ତ ପରେ ମଞ୍ଜଲପୁର ଆସନ ଖାଲି ପଡ଼ିଥିଳା। ଆଜି ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଛି।
ଅନ୍ୟପଟେ ଗୁଜରାଟରେ ସଫଳତାର ସ୍ୱାଦ ଚାଖିଥିବା ବିଜେପି ବାଙ୍କୀପୁର ଆସନରେ ନିରାଶ ହୋଇଛି। ଏହି ଆସନ ପାଇଁ ଦେଶବାସୀଙ୍କ ନଜର ଥିବାବେଳେ ଜନ ସ୍ୱରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଜିତାପଟ ହାସଲ କରିଛନ୍ତି। ୨୮ତମ ରାଉଣ୍ଡ ଗଣନା ପରେ, ପ୍ରଶାନ୍ତ କିଶୋର ୧୯,୪୧୯ ଭୋଟରେ ଆଗୁଆ ଥିଲେ। ବିଜେପିର ନୀରଜ ସିହ୍ନା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଆରଜେଡି ପ୍ରାର୍ଥୀ ତୃତୀୟରେ ଥିଲେ। ବାଙ୍କିପୁର ଉପନିର୍ବାଚନରେ ଏକ ବିସ୍ଫୋରକ ବିଜୟ ହାସଲ କରିବା ପରେ ପ୍ରଶାନ୍ତ କିଶୋର ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି। ପ୍ରଶାନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହେଉଛି ବାଙ୍କୀପୁର ଲୋକଙ୍କ ବିଶ୍ୱାସ ଏବଂ ଆଶୀର୍ବାଦକୁ ସମ୍ମାନ ଦେବା। ସେମାନେ ବାଙ୍କୀପୁରର ବିକାଶ ପାଇଁ ଯଥାସମ୍ଭବ ପ୍ରୟାସ କରିବେ। ଆଉ ସେହି ବିକାଶର ଚିତ୍ର ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ପ୍ରତିଫଳିତ ହେବ ।
ସେହିପରି ଦାତିଆ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ଆଶୁତୋଷ ତିୱାରୀ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଜାଦ ସମାଜ ପାର୍ଟି ପ୍ରାର୍ଥୀ ଦାମୋଦର ଯାଦବ ତୃତୀୟ ସ୍ଥାନରେ ରହିଛନ୍ତି।
