ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜମି ଅଧିଗ୍ରହଣ ସରିବା ମାତ୍ରେ ଜୟପୁର-ମାଲକାନଗିରି ରେଳପଥ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆଜି ୱାଲଟିୟର ଡିଭିଜନର ଡେପୁଟି ରିଜିଓନାଲ ମ୍ୟାନେଜର ଅନୁପ ଶତପଥୀ ମାଲକାନଗିରି ଗସ୍ତରେ ଆସି ସୀମାକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ଠାରେ ଡିଆରଏମ ଶ୍ରୀ ଶତପଥି ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ସହ ଏକ ସୀମାକ୍ଷା ବୈଠକରେ ଯୋଗ ଦେଇ କିପରି ତୁରନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ ହେବ ସେନେଇ ଆଲୋଚନା କରିଥିଲେ। ଶ୍ରୀ ଶତପଥୀଙ୍କ କହିବା ଅନୁଯାୟୀ ଜିଲ୍ଲା ପ୍ରଶାସନ ଯେତେ ଶୀଘ୍ର ଜମି ଅଧିଗ୍ରହଣ କାର୍ୟ୍ୟ ସମାପ୍ତ କରିବେ ସେତେ ଶୀଘ୍ର ରେଲବାଇ ତାର କାମ ଆରମ୍ଭ କରିବ।
ସେପଟେ କେତେ ଦିନ ଆହୁରି ଜିଲ୍ଲାବାସୀ ଅପେକ୍ଷା କରିବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଶତପଥୀ କହିଥିଲେ ଯେ, ଜମି ଅଧିଗ୍ରହଣ ଯେମିତି ସରିବ ରେଲଲାଇନ କାମ ଆସନ୍ତା ଚାରି ପାଞ୍ଚ ବର୍ଷ ମଧ୍ୟରେ ସମାପ୍ତ ହେବ। ଜୟପୁର-ମାଲକାନଗିରିକୁ ୧୨୬ କିଲୋମିଟର ପଡୁଥିବା ବେଳେ ରେଲବାଇ ତାର ମ୍ୟାପ ଜିଲ୍ଲା ରାଜସ୍ବ ବିଭାଗକୁ ହସ୍ତାନ୍ତର କରିସାରିଛି। ଯେଉଁ ରାସ୍ତା ଦେଇ ରେଳଲାଇନ ଯିବ ସେହି ରାସ୍ତାର ଅଧିଗ୍ରହଣ ଜିଲ୍ଲା ପ୍ରଶାସନ କରିବ। ଏଥିପାଇଁ କାମ ଆରମ୍ଭ ହୋଇଛି। ପ୍ରାୟ ୨୦ ପ୍ରତିଶତ କାମ ସରିଥିବା ଶ୍ରୀ ଶତପଥୀ ପ୍ରକାଶ କରିଥିଲେ।
