ମାହାଙ୍ଗା : ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ସାହୁ ଗଲା ସାଲେପୁର ସବ୍ ଜେଲ | ସରିଲା ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ ଅବଧି । ଆଜି ରିମାଣ୍ଡ ଶେଷ ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ଆଜି ରବିବାର ଛୁଟି ଥିବାରୁ ଜେଏମ୍ ଏଫସିଙ୍କ ବାସଭବନରେ ଅଭିଯୁକ୍ତ ଶିବ ସାହୁକୁ ହାଜର କରାଯାଇଛି । ତେବେ ଅଭିଯୁକ୍ତ ଶିବକୁ ନେବା ପାଇଁ ରିମାଣ୍ଡ ଆବେଦନ କରିନି ପୋଲିସ । ଯାହାପରେ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି ।
ତେବେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତ ଶିବ ସାହୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଏକୁଟିଆ ଶିବ ୫ ଜଣଙ୍କୁ କିପରି କଲା ହତ୍ୟା, ତାହାକୁ ନେଇ ଏବେ ବି ସନ୍ଦେହ ବଢିବାରେ ଲାଗିଛି । ଏହାରି ଭିତରେ ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ତେବେ ଗତକାଲି ରିମାଣ୍ଡର ଶେଷ ଦିନରେ ଶିବକୁ ନେଇ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ପହଞ୍ଚିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଶାଣ କରିଥିବା ପ୍ରଦୀପ ମହାରଣାଙ୍କୁ ନିଆଯାଇଥିଲା । ସେହି ଦୋକାନରେ କଟୁରୀ ଶାଣ କରିଥିଲା ବୋଲି କହିଥିଲା ଶିବ । ଗୁରୁବାର ଦିନ ଶିବକୁ ରିମାଣ୍ଡରେ ଆଣିଥିଲା ପୋଲିସ । ସେ ପ୍ରଥମ ଦିନରେ ପୋଲିସକୁ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ଦିନରେ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା । ହେଲେ ଏଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ତଦନ୍ତ ଆଗେଇ ପାରୁନଥିବା କୁହାଯାଉଛି ।
କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି । ସେପଟେ ମା ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି।





