ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ୨୦୨୫ ସୁଦ୍ଧା ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାମ ସରିବ ବୋଲି କହିଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଏସ.କେ.ମିଶ୍ର । ତେବେ ଖୋର୍ଦ୍ଧା ପଟୁ ୭୦ କିଲୋମିଟର ଓ ବଲାଙ୍ଗୀର ପଟୁ ୧୪ କିଲୋମିଟର ରେଳ ଲାଇନ କାର୍ୟ୍ୟ ଶେଷ ହୋଇଛି। ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି। ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ଏନେଇ ୭ ନମ୍ବର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି। ସେପଟେ ଖୋର୍ଦ୍ଧାରୁ ନୟାଗଡ଼ ଯାଏ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀରରୁ ବିଛୁପାଲି ପର୍ୟ୍ୟନ୍ତ ରେଳ ମଧ୍ୟ ଗଡ଼ିଛି। କିନ୍ତୁ ଦୁର୍ଭାଗ୍ୟର କଥା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିମନ୍ତେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଇଂଚ ଜମି ବି ଏଯାଏ ଅଧିଗ୍ରହଣ ହୋଇପାରିନାହିଁ।
ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବ ହେତୁ ଅଧିଗ୍ରହଣ କାର୍ୟ୍ୟ ଆଗେଇପାରୁନଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ଆଗକୁ ଏହା କାର୍ୟ୍ୟକାରୀ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ୨୨୭୦ ଏକର ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଏକ ହଜାରରୁ ଅଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ତେବେ ସେମାନଙ୍କୁ ୨୦୦୬ ମସିହାର ଦରରେ ମୁଲ୍ୟାଙ୍କନ କରି କ୍ଷତିପୂରଣ ଦିଆଯାଇଥିବାକୁ ବିରୋଧ କରି ସମିତି ପକ୍ଷରୁ ଜିିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିବା ସହିତ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ପ୍ରାୟ ଦୁଇ ବର୍ଷ ତଳେ ଦାବିପତ୍ର ପ୍ରଦାନ କରାଯାଇଥିଲା ।
