ନୂଆଦିଲ୍ଲୀ: ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା | ଯାହା ଅତିଶୀଘ୍ର ଲାଗୁ ହେବ | କାରଣ କେନ୍ଦ୍ର ସରକାର ବିଧାୟକଙ୍କ ଦରମା ବଢାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀ ବିଧାୟକଙ୍କ ମୂଳ ଦରମା ୧୨ହଜାର ଥିବା ବେଳେ ଏହା ୨୦ ହଜାରକୁ ବୃଦ୍ଧି ହେବ । ମାସିକ ଦରମାରେ ଅନ୍ୟାନ୍ୟ ସୁବିଧାକୁ ମିଶାଇ ଏଣିକି ବିଧାୟକ ୯୦ ହଜାର ଟଙ୍କା ପାଇବେ । ପୂର୍ବରୁ ବିଧାୟକଙ୍କୁ ଏହି ବାବଦରେ ୫୪ ହଜାର ଟଙ୍କା ମିଳୁଥିଲା ।

ଏବେ ବିଧାୟକଙ୍କୁ ବେସିକ ସାଲାରୀ ଭାବେ ୧୨ ହଜାର ଟଙ୍କା ମିଳୁଛି । ଯାହା ବଢିଯାଇ ୨୦ ହଜାର ଟଙ୍କା ହୋଇଯିବ । ଏବଂ ସମସ୍ତ ଭତ୍ତାକୁ ମିଶାଇଲେ ଦରମା ୫୪ ହଜାରରୁ ୯୦ ଟଙ୍କା ହୋଇଯିବ । ଏହାପୂର୍ବରୁ ଦିଲ୍ଲୀ ସରକାର ୨୦୧୫ରେ ଦରମା ବର୍ଦ୍ଧିତ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳେ ମଞ୍ଜୁରୀ ମିଳିନଥିଲା ।

ବିଧାନସଭା ଅଧ୍ୟକ୍ଷ ରାମନିବାସ ଗୋଏଲ କହିଛନ୍ତି ଯେ, ପୂର୍ବରୁ ୨୦୧୧ରେ ବିଧାୟକଙ୍କ ଦରମା ବଢିଥିଲା । ୧୧ ବର୍ଷ ପରେ ଏତେ କମ୍ ଦରମା ବଢିବା ଉପଯୁକ୍ତ ନୁହେଁ । ଦିଲ୍ଲୀ ବିଧାୟକଙ୍କୁ ଅନ୍ୟ ରାଜ୍ୟର ବିଧାୟକଙ୍କ ଭଳି ଦରମା ମିଳିବା ଦରକାର । ଏବେ କେନ୍ଦ୍ରରୁ ମଞ୍ଜୁରୀ ମିଳିବା ବିଧାନସଭାର ଆସନ୍ତା ଅଧିବେଶନରେ ବିଧାୟକଙ୍କ ଦରମା ବଢିବା ନେଇ ବିଲ୍ ଆଗତ ହେବ ।

ସୂଚନାଯୋଗ୍ୟ, ୨୦୧୫ରେ ଦିଲ୍ଲୀ ସରକାର ଦରମା ବଢାଇବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେନ୍ଦ୍ର ଏହାକୁ ଅସ୍ୱୀକାର କରିଥିଲା । ଏହାସହ କିଛି ପରାମର୍ଶ ଦେଇଥିଲା କେନ୍ଦ୍ର । ୨୦୨୧ରେ ଦିଲ୍ଲୀ ସରକାର ପୁଣି କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ । ଯାହାକୁ ଶେଷରେ ମଞ୍ଜୁରୀ ମିଳିଛି ।

କେନ୍ଦ୍ରର ଅନୁମୋଦନ ପରେ ବର୍ତ୍ତମାନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଲ୍ ଦିଲ୍ଲୀ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଅଣାଯିବ ।