ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲି ଠାରୁ ଆରମ୍ଭ ହେବ ଜ୍ଞାନବାପୀ ମସଜିଦର ସର୍ଭେ କାମ । ମୁସଲିମ ପକ୍ଷଙ୍କ ସହ ବୈଠକ ପରେ ଏନେଇ ଜିଲ୍ଲାପାଳ କୌଶଲ ରାଜ ଘୋଷଣା କରିଛନ୍ତି । ସର୍ଭେ ବେଳେ କମିଶନଙ୍କ ଜଣେ କାର୍ୟ୍ୟବାହୀ ଆଇନଜୀବୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏନେଇ ସମସ୍ତ ପକ୍ଷ ସହ ଆଲୋଚନା ହୋଇଥିବା ଜଣାପଡିଛି । ଏହାପୂର୍ବରୁ ମସଜିଦର ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ବାରଣାସୀର ଅଞ୍ଜୁମନ ଏ ଇନ୍ତଜାମିଆ କମିଟି ସର୍ଭେ ରୋକିବା ପାଇଁ ଆବେଦନ କରିଛି । ତେବେ ସୁପ୍ରିମକୋର୍ଟ ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରିଦେଇଛନ୍ତି ।
ମାମଲା ଦେଖିବା ପରେ ଶୁଣାଣି କରିବେ ବୋଲି କହିଛନ୍ତି ।ଅଞ୍ଜୁମନ-ଏ- ଇନ୍ତଜାମିଆର ମାମଲା ଲଢୁଥିବା ଆଇନଜୀବୀ ହୁଜେଫା ଅହମଦୀ କହିଛନ୍ତି ଯେ, ସେମାନଙ୍କୁ ତ୍ୱରିତ ଶୁଣାଣି ଦରକାର । କାରଣ ସର୍ଭେକ୍ଷଣର ଆଦେଶ ଦିଆଯାଇ ସାରିଛି । ସେ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱାଧିନ ପୀଠରେ ତଳ କୋର୍ଟର ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
