ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେର୍ ଏବେ ବି ଶ୍ରୀଜିଉଙ୍କ ଆଗରେ ପିଣ୍ଡିକା ରଖି ଆଦା‌ୟ ହେଉଛି ଦାନଦକ୍ଷିଣା । ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କଠୁ ଦାନଦକ୍ଷିଣା ଆଦାୟ ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ପରଠାରୁ ମନ୍ଦିର ପ୍ରଶାସନ ପାଳିଆ ପୁରସ୍କାରଠାରୁ ଆରମ୍ଭ କରି ପରିମାଣିକ ଦର୍ଶନ, ପିଣ୍ଡିକା, ଦାନ ଆଦାୟ ବାବଦକୁ ବାର୍ଷିକ କୋଟି କୋଟି ଟଙ୍କା ଗଣୁଛି। କେବଳ ପରିମାଣିକ ଦର୍ଶନ ଓ ପିଣ୍ଡିକା ପାଇଁ ଦୈନିକ ଲକ୍ଷାଧିକ ଟଙ୍କା ଗଣି ରାଜସ୍ବ ଖାଲି କରୁଛି। ତଥାପି ଦାନଦକ୍ଷିଣା ଆଦାୟରେ ରୋକ୍ ଲାଗି ପାରୁନି । ଏବେ ବି ଶ୍ରୀଜିଉଙ୍କ ଆଗରେ ପିଣ୍ଡିକା ରଖି ଦାନଦକ୍ଷିଣା ଆଦା‌ୟ ହେଉଛି। ତିନି ଠାକୁରଙ୍କ ନାଁରେ ତିନି ଗରା ଉଭୟ ଭିତର କାଠ ଓ ବାହାର କାଠରେ ରଖାଯାଉଛି। ଶ୍ରୀମନ୍ଦିର କମାଣ୍ଡର, ସୁପରଭାଇଜରଙ୍କଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହାକୁ ଦେଖୁଛନ୍ତି ସତ, କିନ୍ତୁ କେହି ମୁହଁ ଖୋଲୁନାହାନ୍ତି। ଫଳସ୍ବରୂପ ଭକ୍ତମାନେ ପୂର୍ବଭଳି ଶୋଷଣର ଶିକାର ହେଉଛନ୍ତି।

୨୦୧୬ ମସିହା ପୂର୍ବରୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗର୍ଭଗୃହ ଦର୍ଶନ ମିଳୁଥିଲା। ପରିମାଣିକ ଓ ସାହାଣମେଲା ଦର୍ଶନ ଚାଲିଥିଲା। ଏଣୁ ସେବାୟତମାନେ ପିଣ୍ଡିକା ରଖି ରତ୍ନବେଦୀ ଛୁଉଁଥିବା ଓ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ଭକ୍ତଙ୍କଠାରୁ ଏଥିପାଇଁ ଟଙ୍କା ଆଦାୟ କରୁଥିଲେ। ଗରା, ଥାଳି ଆଦି ରଖି ଭକ୍ତଙ୍କୁ ସେଥିରେ ଦାନ ଦେବାକୁ କହୁଥିଲେ। ୨୦୧୬ ମସିହ‌ାରେ ଶ୍ରୀମନ୍ଦିର ଜଗମୋହନ ମରାମତି ଆରମ୍ଭ ପରିପ୍ରେକ୍ଷୀରେ ପୂର୍ବରୁ ଗର୍ଭଗୃହରେ ଚାଲି ଆସୁଥିବା ଏହି ପରିମାଣିକ ଓ ସାହାଣମେଲା ଦର୍ଶନ ବନ୍ଦ କରି ଦିଆଗଲା। ଏହା ପରଠାରୁ ଏ ବାବଦକୁ ନିର୍ଦ୍ଧାରିତ ହାରରେ ଅଂଶ ପାଉଥିବା ସେବକମାନଙ୍କୁ ୨୦୧୫ ମସିହା ହାରରେ ପରିମାଣିକ ଅଂଶ ଦିଆଯାଇ ଆସୁଛି। ସେହିଭଳି ୪ ଗୋଷ୍ଠୀର ସେବକଙ୍କୁ ପିଣ୍ଡିକା ବାବଦରେ ଦୈନିକ କ୍ଷତିପୂରଣ ପ୍ରଦାନ କରାଯାଇ ଆସୁଛି।