ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ରାଜନୀତି ଜୋର ଧରିଛି । ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା APP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସିଧାସଳଖ ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ତଥା ଦେଶଭକ୍ତ ବୋଲି କହିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି ଜୈନ ଜଣେ ରାଷ୍ଟ୍ରଭକ୍ତ, ତାଙ୍କ ପ୍ରଚେଷ୍ଟାରେ ଦିଲ୍ଲୀରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଧୁରିଛି । ଦିଲ୍ଲୀ ସମେତ ବିଶ୍ବର ବିଭିନ୍ନ ପ୍ରାନ୍ତର ଲୋକ ମୋହଲା କ୍ଲିନିକରେ ଚିକିତ୍ସା ସେବା ପାଇବାରେ ସକ୍ଷମ ହେଉଛନ୍ତି । ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିବା ଉଚିତ ବୋଲି କେଜ୍ରିଓ୍ବାଲ କହିଥିଲେ ।ସେହିପରି ଜୈନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇବା ସହ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି । ତେବେ କେଜ୍ରିଓ୍ବାଲଙ୍କ ଏପରି କ୍ଲିନଚିଟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି ।
ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରେସମିଟ କରି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି ।ମାମଲା ବିଚାରାଧୀନ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି । କିନ୍ତୁ କେଜ୍ରିଓ୍ବାଲ ବିଚାରପତି ଭୂମିକାରେ ଥିବା ପରି ମନ୍ତବ୍ୟ ଦେଉଛନ୍ତି । 2010ରୁ 2015 ମସିହା ମଧ୍ୟରେ କୋଲକାତାରୁ ଅପରେଟ ହେଉଥିବା ଏକ ହାଓ୍ବାଲା କମ୍ପାନୀ ଜରିଆରେ ଜୈନ ଆର୍ଥିକ କାରବାର କରିଥିବା କେଜ୍ରିଓ୍ବାଲ ଅସ୍ବୀକାର କରିପାରିବେ କି ବୋଲି ଇରାନୀ ପ୍ରଶ୍ନ କରିଛନ୍ତି ।
ଏହି ମାମଲାରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିଛନ୍ତି । କୋର୍ଟ ଜୈନଙ୍କୁ 9 ଦିନିଆ ରିମାଣ୍ଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପଠାଇବା ପରେ ଅଧିକ ଜେରା ଜାରି ରଖଛି ତଦନ୍ତକାରୀ ସଂସ୍ଥା ।





