କଟକ : ଆଜି ଶେଷ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚାଲିଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା | ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକର୍ଙ୍କ ଦ୍ବାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍ଲୋଡ୍ କରାଯାଇଛି | ରାଜ୍ୟ ମଧ୍ୟରେ ସବ୍ଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବ୍ଜେକ୍ଟିଭ୍ ଖାତା(ଓଏମ୍ଆର୍ ଉତ୍ତରଫର୍ଦ୍ଦ) ମୂଲ୍ୟାୟନ ଚାଲିଛି। ତାହା ମଧ୍ୟ ସରିଯାଇଥିବା ଜଣାପଡ଼ିଛି। ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି।
ସୂଚନା ଅନୁଯାୟୀ ଗତକାଲି ଅଧିକାଂଶ କେନ୍ଦ୍ରରେ ମୂଲ୍ୟାୟନ ସରିଥିବାବେଳେ ଆଜି ମଧ୍ୟ କିଛି କେନ୍ଦ୍ରରେ ଖାତା ମୂଲ୍ୟାୟନ ସରିଛି। ଅବଶିଷ୍ଟ କେନ୍ଦ୍ରରେ ଆସନ୍ତାକାଲି ମୂଲ୍ୟାୟନ ଶେଷହେବ।
ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏକକାଳୀନ ଦୀର୍ଘଉତ୍ତରମୂଳକ ଓ ଓଏମ୍ଆର୍ ଫର୍ଦ୍ଦ ଦେଖା ଆରମ୍ଭ ହୋଇଥିଲା। ଖାତା ମୂଲ୍ୟାୟନ ପ୍ରାୟ ଶେଷ ହୋଇଛି। ଏବେ ଫଳାଫଳ ପ୍ରକାଶନ ପ୍ରକ୍ରିୟା ଆରମ୍ଭ ହେବ |
