ଲକ୍ଷ୍ନୌ: ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶ କାନପୁରର ବେକନଗଞ୍ଜ ଅଞ୍ଚଳ | ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟଙ୍କୁ ନେଇ ସୃଷ୍ଟି ହୋଇଛି ସାମ୍ପ୍ରଦାୟିକ ହିଂସାକାଣ୍ଡ । ଯାହା ଉଗ୍ର ରୂପ ଧାରଣ କରିଛି | ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ହିଂସାକାଣ୍ଡରେ ବହୁ ଜଣ ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି।
ଏହି ଘଟଣାରେ ପୁଲିସ୍ ୩୫ଜଣଙ୍କୁ ବାନ୍ଧି ସାରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ନିୟମ ଲାଗୁ କରାଯିବ । ସେମାନଙ୍କ ସମ୍ପତ୍ତି ଜବତ କରାଯିବା ସହ ତାହା ଉପରେ ବୁଲଡୋଜର ଚାଲିବ ବୋଲି ଚେତାଇ ଦେଇଛନ୍ତି କାନପୁର ପୁଲିସ୍ କମିଶନର ବିଜୟ ସିଂ ମୀନା ।
ବିଜେପି ମୁଖପାତ୍ର ନୁପୁର ଶର୍ମା ମୁମ୍ବାଇରେ ଏକ ଟିଭି ବିତର୍କ ଶୋ’ରେ ମହମ୍ମଦଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ଏହି ବିବାଦ ଯୋଗୁ ଏହି ବିବାଦର ସୂତ୍ରପାତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନୁପୁରଙ୍କ ଟିପ୍ପଣୀକୁ ନେଇ ମୁସଲିମ ସମ୍ପ୍ରଦାୟ ଲୋକେ ଅସନ୍ତୁଷ୍ଟ ଥିଲେ। ଗତକାଲି ସେମାନେ ନମାଜ ପାଠ ପରେ ୟତିମଖାନାର ସଦଭାବନା ଚୌକି ନିକଟରେ ବଜାର ବନ୍ଦ କରିବାକୁ ଦୋକାନୀଙ୍କ ଉପରେ ଚାପ ପକାଇଥିଲେ।
ହିନ୍ଦୁମାନେ ଦୋକାନ ବନ୍ଦ କରିବାକୁ ମନା କରିବାରୁ କିଛି ଉପଦ୍ରବକାରୀ ଟେକା ମାଡ଼ ସହ ବୋମା ମାଡ଼ ବି କରିଥିଲେ। ଏହାପରେ ୨ ସମ୍ପ୍ରଦାୟ ଲୋକେ ମୁହାଁମୁହିଁ ହୋଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା । ଏହି ହିଂସାକାଣ୍ଡ ବେଳେ ୩୦ ସାଧାରଣ ଲୋକ ଓ ୧୩ ପୁଲିସ୍ କର୍ମୀ ଆହତ ହୋଇଛନ୍ତି।
