ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟମନ୍ତ୍ରୀ ମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ କାହାକୁ ସୁଯୋଗ ମିଳିବ ତାହା ଉପରେ ସାରା ରାଜ୍ୟର ନଜର ରହିଛି । ବିଶେଷ କରି ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକିନା ୨୦୨୪ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଉଥିବାରୁ ସାଙ୍ଗଠନିକ ଦକ୍ଷତା ଥିବା ନେତାଙ୍କୁ ପୁରସ୍କାରସ୍ୱରୂପ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ତେବେ ସମ୍ଭାବ୍ୟ ମନ୍ତ୍ରୀ ହେବାକୁ ଥିବା ନେତାଙ୍କୁ ଏବେ କଲ ଆସିଥିବା ନେଇ ସୂଚନା ମିଳିଛି । ଯେଉଁଥିରେ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଥିବା କୁହାଯାଉଛି ।
ପ୍ରୀତିରଞ୍ଜନ ଯୁବ ଚେହେରା ହୋଇଥିବା ବେଳେ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଦିଗରେ କାର୍ୟ୍ୟ କରି ଆସୁଛନ୍ତି । ସେହିଭଳି ଅନ୍ୟ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ବୌଦ୍ଧରୁ ପ୍ରଦୀପ ଅମାତ, ଗଞ୍ଜାମରୁ ଲତିକା ପ୍ରଧାନ, କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ୍ବଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ସେହିଭଳି ପ୍ରତାପ ଦେବ, ସୂର୍ୟ୍ୟନାରାୟଣ ପାତ୍ର, ସୁଶାନ୍ତ ରାଉତ, ପ୍ରଣବ ପ୍ରକାଶ ଦାସ ଅନୁଭବୀ ନେତା ଭାବେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
