ନୂଆଦିଲ୍ଲୀ: ଚୀନ ସରକାର 18ବର୍ଷର କମ ପିଲାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୋମବାରଠୁ ନାବାଳକ ଏବଂ ନାବାଳିକାଙ୍କ ଟାଟୁ କରିବା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଚୀନ ସରକାରଙ୍କ ଅନୁସାରେ, ୧୮ ବର୍ଷରୁ କମ ପିଲାଙ୍କ ପାଇଁ ବଡି ଆର୍ଟ ସାମ୍ୟବାଦର ମୂଳ ସିଦ୍ଧାନ୍ତର ଉଲ୍ଲଂଘନ କରୁଛି । ପରିବାର ଏବଂ ସ୍କୁଲରେ ଏହି ପ୍ରଥାକୁ ବିରୋଧ କରିବା ପାଇଁ ଚୀନ ଅପିଲ୍ କରିଛି ।
ଚୀନର ସରକାରୀ ମିଡିଆ ଅନୁସାରେ, ଯଦି କୌଣସି ଟାଟୁ ଆର୍ଟିଟ୍ସ କିମ୍ୱା ଦୋକାନ ନାବାଳକଙ୍କ ଟାଟୁ କରି ଧରା ପଡନ୍ତି ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଯେଉଁ ପିଲାମାନେ ପୂର୍ବରୁ ଟାଟୁ କରିଛନ୍ତି, କିନ୍ତୁ ଏବେ ତାହା ହଠାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଚିକିତ୍ସାଗତ ମାର୍ଗଦର୍ଶନ ଦିଆଯିବ।
ଚୀନର କମ୍ୟୁନିଷ୍ଟ ପାର୍ଟିର ୟୁଥ୍ ଲିଗ୍ ଏବଂ ରାଜ୍ୟ ପ୍ରଶାସନ ସହ ଅନେକ ସରକାରୀ ବିଭାଗର ପରାମର୍ଶ ପରେ ପିଲାଙ୍କ ଟାଟୁ କରିବା ଉପରେ ବ୍ୟାନ ଲାଗୁ କରାଯାଇଛି । ନାବାଳକଙ୍କ ପାଇଁ ଜାରି ଉପାୟ ଅନୁସାରେ…ରାଜ୍ୟ, ସମାଜ, ସ୍କୁଲ ଏବଂ ପରିବାରକୁ ନାବାଳକଙ୍କୁ ଶିକ୍ଷିତ କରିବାକୁ କୁହାଯାଇଛି । ସାମ୍ୟବାଦର ସିଦ୍ଧାନ୍ତଙ୍କୁ ସ୍ଥାପନ କରିବା ଏବଂ ତାହାର ଅଭ୍ୟାସ କରିବାରେ ସାହାଯ୍ୟ କରିବା ଦରକାର । ଟାଟୁ ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ ପିଲାଙ୍କୁ ବୁଝାଇ, ତର୍କ ସହ ଟାଟୁକୁ ମନା କରିବା ଦରକାର ।
ହଂକଂ ସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ସଂଘାଇ ସରକାର କହିଛନ୍ତି, ୧୮ ବର୍ଷରୁ କମ ବୟସର ପିଲାଙ୍କୁ ସେମାନଙ୍କ ଅଭିଭାବକଙ୍କ ବିନା ମଞ୍ଜୁରୀରେ କସମେଟିକ୍ ସର୍ଜରୀ କରିବାକୁ ଦିଆଯିବ ନାହିଁ। ନାବାଳକଙ୍କୁ ଟାଟୁ ପାର୍ଲର ସେବା ପ୍ରଦାନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି।
ଚୀନରେ ଟାଟୁ ବିରୋଧୀ ଅଭିଯାନରେ କେବେଳ ନାବାଳକଙ୍କୁ ନୁହେଁ ବରଂ ଖେଳାଳି ଏବଂ କଳାକାରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଚୀନରେ ଯେଉଁ କଳାକାର ଟାଟୁ କରିଛନ୍ତି, ସେମାନଙ୍କ ଚୀନର ସରକାରୀ ଟେଲିଭିଜନ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ରୋକ ଲଗାଯାଇଛି ।
