ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶେଷରେ ଭାରତକୁ ମୌଳିକତାକୁ ନେଇ ଉପଦେଶ ଦେଲା ତାଲିବାନ । ସେପଟେ ମହମ୍ମଦଙ୍କ ବିରୋଧରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ୧୪ ଟି ଦେଶରେ ପହଞ୍ଚିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ୟ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ଏହା ମଧ୍ୟରେ ପ୍ରଫେଟ ମହମ୍ମଦ ବିରୋଧୀ ଏହି ମନ୍ତବ୍ୟକୁ ନେଇ ଏବେ ତାଲିବାନ ମଧ୍ୟ ଭାରତ ସରକାରଙ୍କୁ ଉପଦେଶ ଦେବା ଆରମ୍ଭ କରିଦେଇଛି। ଆଫଗାନିସ୍ତାନରେ ମହିଳାମାନଙ୍କୁ ନିଜର ଅଧିକାରରୁ ବଞ୍ଚିତ କରୁଥିବା ଏବଂ ଅନେକ ଲୋକଙ୍କ ଜୀବନ ନେଇସାରିଥିବା ତାଲିବାନ ଏବେ ଭାରତ ସରକାରଙ୍କୁ ଉପଦେଶ ଦେବାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ତେବେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରି ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଭାରତ ସରକାର ଧର୍ମାନ୍ଧମାନଙ୍କୁ ଇସଲାମ ଭଳି ପବିତ୍ର ଧର୍ମର ଅପମାନିତ କରିବାକୁ ଏବଂ ମୁସଲମାନମାନଙ୍କ ଭାବନାକୁ ଉତ୍ତେଜିତ କରିବାକୁ ଦିଅନ୍ତୁ ନାହିଁ। ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





