ପାଟନା: ବିହାରର ପୂର୍ଣ୍ଣିଆରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଂକର ଥିଲା ଯେ, ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ ସ୍କର୍ପିଓ ଭାରସାମ୍ୟ ହରାଇ ଖାଲରେ ଓଲଟି ପଡିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଗାଡିଟି ଅନଗଡରୁ କିଶନଗଞ୍ଜ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ମୋଟ ୧୦ ଜଣ ଯାତ୍ରୀ ଥିଲେ । ବାକି ଦୁଇ ଜଣ କୌଣସି ମତେ ଗାଡିରୁ ବାହାରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଗାଡି ଭିତରୁ ବାହାର କରିଛନ୍ତି । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ସୂଚନା ଅନୁଯାୟୀ, ସ୍କର୍ପିଓରେ ଥିବା ସମସ୍ତ ଯାତ୍ରୀ ବିବାହ ପ୍ରସ୍ତାବ ପାଇଁ ଅନଗଡ ଯାଇଥିଲେ । ସେଠାରେ ବିବାହ ସ୍ଥିର କରି ନିଜ ଗାଁକୁ ଫେରୁଥିଲେ । ହେଲେ ବାଟରେ ଗାଡିଟି ହଠାତ୍ ଭାରସାମ୍ୟ ହରାଇ ଏକ ପାଣି ଭର୍ତ୍ତି ଖାଲ ମଧ୍ୟରେ ଓଲଟି ପଡିଥିଲା । ଯେଉଁ କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।