ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଜୁନ ୧୩ ତାରିଖରେ ରାହୁଲ ଗାନ୍ଧୀ ଇଡିରେ ହାଜର ହେବାକୁ ଯାଉଛନ୍ତି । ହେଲେ ଏହା ପୂର୍ବରୁ କଂଗ୍ରେସ ସାରା ଦେଶରେ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ସ୍ପଷ୍ଟ କରିଛି । ଅନ୍ୟପଟେ ଜୁନ ୧୩ ତାରିଖ ସକାଳେ ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ପୂର୍ବରୁ ଦଳର ସମସ୍ତ ସାଂସଦମାନଙ୍କୁ ଦଳର ମୁଖ୍ୟ କାର୍ୟ୍ୟାଳୟରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କୁହାଯାଉଛି କି ଦଳର ସମସ୍ତ ସାଂସଦଙ୍କ ସମେତ ବରିଷ୍ଠ ନେତାମାନେ ରାହୁଲ ଗାନ୍ଧୀଙ୍କ ସହ ଇଡି କାର୍ୟ୍ୟାଳୟ ପର୍ୟ୍ୟନ୍ତ ମାର୍ଚ୍ଚ କରିବେ । ଏହାସହ ଅନୁମାନ କରାଯାଉଛି କି ଦିଲ୍ଲୀ ସମେତ ଦେଶର ସମସ୍ତ ରାଜ୍ୟରେ ୧୩ ତାରିଖ ଦିନ କଂଗ୍ରେସ ପକ୍ଷରୁ ପ୍ରଦର୍ଶନ କରାଯାଇ ପାରେ । ଏହାସହ ଆସନ୍ତା କାଲି ସାରା ଦେଶରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିବ ବୋଲି କୁହାଯାଉଛି ।ସେପଟେ କରୋନା ସଂକ୍ରମଣ କାରଣରୁ ବୁଧବାର ଦିନ ଇଡିରେ ହାଜର ହୋଇପାରି ନାହାଁନ୍ତି ସୋନିଆ ଗାନ୍ଧୀ । ଏହା ମଧ୍ୟରେ ଆଜି ପୁଣିଥରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛି ଇଡି । ଜୁନ ୨୩ରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ସୋନିଆ ଗାନ୍ଧୀ ।





