ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ୪୪ ହଜାର ୭୫ କୋଟିରେ ବିକ୍ରି ହେଲା ଆଇପିଏଲ୍‌ର ମିଡିଆ ରାଇଟ୍ସ । ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ବା ଆଇପିଏଲ୍‌କୁ ନେଇ ସରିଲା ମିଡିଆ ରାଇଟ୍ସ ନିଲାମୀ । IPL ର ଉଭୟ ଟିଭି ଏବଂ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ପାଇଁ ରାଇଟ୍ସ ବିକ୍ରି ହୋଇଛି । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ପାଇଁ ୪୪,୦୭୫ କୋଟି ଟଙ୍କାରେ ଦୁଇଟି ଭିନ୍ନ କମ୍ପାନୀ ଏହା ହାତେଇଛନ୍ତି । ଅର୍ଥାତ ଏହା ନିଶ୍ଚିତ ଯେ ଦର୍ଶକ ଏବେ ଗୋଟିଏ ଅଲଗା ଟିଭି ଚ୍ୟାନେଲ୍‌ ଏବଂ ଅନ୍ୟ ଗୋଟିଏ ଡିଜିଟାଲ୍‌ ଆପ୍‌ ବା ୱେବ୍‌ସାଇଟ୍‌ରେ ମ୍ୟାଚ୍‌ ଦେଖିପାରିବେ । ଏହି ରାଇଟ୍ସ ୪୧୦ ମ୍ୟାଚ୍‌ ପାଇଁ ଉବଲବ୍ଧ ହେବ । ମିଳିଥିବା ସୂଚନା ଅନୁସାରେ, ଆଇପିଏଲ୍‌ର ଟିଭି ରାଇଟ୍ସ ସୋନି ଚ୍ୟାନେଲ୍‌ କିଣିଥିବା ବେଳେ ଡିଜିଟାଲ୍‌ ରାଇଟ୍ସ ୱାଇକମ୍‌ (ରିଲାଏନ୍ସ) ହାତେଇଛି । କିନ୍ତୁ ଅଧିକାରୀକ ସ୍ତରରେ ଏ ପର୍ଯ୍ୟନ୍ତ ଘୋଷଣା ବାକି ରହିଛି । ପ୍ୟାକେଜ୍‌ ଏ ଏବଂ ପ୍ୟାକେଜ୍‌ ବି ପାଇଁ ନିଲାମୀ ସରିଛି ।

ବର୍ତ୍ତମାନ ପ୍ୟାକେଜ୍‌ ସି ଏବଂ ପ୍ୟାକେଜ୍‌ ଡି ପାଇଁ ନିଲାମୀ ଆରମ୍ଭ ହେବାକୁ ବାକି ରହିଛି । ପ୍ୟାକେଜ୍‌ ସିରେ ପ୍ଲେ-ଅଫ୍‌ ମୁକାବିଲାର ରାଇଟ୍ସ ଏବଂ ପ୍ୟାକେଜ୍‌ ଡିରେ ବିଦେଶରେ ପ୍ରସାରଣ ରାଇଟ୍ସ ମିଳିବ । IPL ମିଡିଆ ରାଇଟ୍ସ ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ବିକ୍ରି ହୋଇଛି । ଏହାକୁ ଚାରୋଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ଉଲ୍ଲେଖଥାଉ କି, ମିଡିଆ ରାଇଟ୍ସର ମୋଟ ମୂଳ ମୂଲ୍ୟ ୩୨୦୦ କୋଟିରୁ ଅଧିକ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।