ଆଇପିଏଲ 2022: ଧୋନିଙ୍କ ଟିମ୍ ରେ ଖେଳିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି

ଆଇପିଏଲ୍ 2022 ପାଇଁ ପ୍ରସ୍ତୁତି ଜୋର୍ ଧରିଥିବା ବେଳେ, ନିଲାମୀ ର ଆଜି ଦ୍ଵିତୀୟ ଦିନ । ତେବେ ଆଜିର ଦିନ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି । ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି। ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କୁ କିଣିଛି। ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ।

ଆଇପିଏଲ୍ ନିଲାମ ପାଇଁ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା। ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଶୁଭ୍ରାଂଶୁଙ୍କୁ କିଣି ନେଇଛି।

୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି। ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି। ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି। ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି।

ଗତ ବର୍ଷ ଡିସେମ୍ବରରେ ଚେନ୍ନାଇ ସୁପର୍ କିଙ୍ଗସ ଶୁଭ୍ରାଂଶୁଙ୍କୁ ଟ୍ରାଏଲ୍ ପାଇଁ ଡାକିଥିଲା। ଡିସେମ୍ବର ୮ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଆନ୍ଧ୍ର ବିପକ୍ଷ ବିଜୟ ହଜାରେ ଟ୍ରଫିରେ ଶୁଭ୍ରାଂଶୁ ଆକର୍ଷଣୀୟ ଶତକ ମାରିଥିଲେ। ତାଙ୍କର ଏହି ଶତକୀୟ ଇନିଂସ ବଳରେ ଓଡ଼ିଶା ୫୦ ଓଭରରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା।

Related Posts