ରାଞ୍ଚି: ରାଞ୍ଚି ହିଂସା ମାମଲାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ମିଳିବ ଦଣ୍ଡ । ଏନେଇ ୩୩ ଅଭିଯୁକ୍ତଙ୍କ ଫଟୋ ଥିବା ପୋଷ୍ଟର ଜାରି କରିଛି ଝାଡଖଣ୍ଡ ପୋଲିସ । ଏହି ପୋଷ୍ଟର ଜରିଆରେ ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବ ପୋଲିସ ।
ରାଞ୍ଚି ହିଂସାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଡର୍ଜନରୁ ଅଧିକ ପୋଲିସକର୍ମୀଙ୍କ ସହ ୨୦ରୁ ଅଧିକ ଲୋକେ ଆହତ ହୋଇଥିଲେ ।
ବିଜେପିରୁ ନିଲମ୍ୱିତ ନୂପୁର ଶର୍ମା ଏବଂ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲଙ୍କ ଦ୍ୱାରା ପ୍ରଫେଟ୍ ମହମ୍ମଦ ଉପରେ କଥିତ ବିବାଦୀୟ ଟିପ୍ପଣୀକୁ ନେଇ ଶୁକ୍ରବାର ଜୁନ ୧୦ରେ ହିଂସା ହୋଇଥିଲା। ହିଂସା ପରେ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଥିଲା। ଏହାସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଖାଡଖଣ୍ଡ ରାଜ୍ୟପାଳ ରମେଶ ବୈସ ରାଞ୍ଚି ହିଂସାକୁ ନେଇ ସୋମବାର ପୋଲିସ ମହାନିର୍ଦ୍ଦେଶକ ନୀରଜ ସିହ୍ନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ରାଜଭବନ ତଲବ କରିଥିଲେ । ଭିଡକୁ ହଟାଇବା ପାଇଁ ପାଣି ମାଡ, ରବର ଗୁଳି ମାଡ କିମ୍ୱା ଲୁହା ବୁହା ଗ୍ୟାସ କାହିଁକି ବ୍ୟବହାର କରାଗଲା ନାହିଁ ବୋଲି ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା ।
ତେବେ ପୋଲିସ ମହାନିର୍ଦ୍ଦେଶକ ରାଜ୍ୟପାଳଙ୍କୁ ସୂଚନା ଦେଇ କହିଥିଲେ, ଗୁଇନ୍ଦା ରିପୋର୍ଟ ଅନୁସାରେ ଶୁକ୍ରବାର ବିରୋଧ ପ୍ରଦର୍ଶନରେ କେବଳ ୧୫୦ ଜଣ ଏକାଠି ହେବାର ସମ୍ଭବାନା ଥିଲା। କିନ୍ତୁ ବିରୋଧ ପ୍ରଦର୍ଶନରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ।
