
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଞ୍ଚିରେ ୨୩ ଦିନର ଏକ ନବଜାତ ଶିଶୁ ପେଟରୁ ୮ଟି ଭ୍ରୂଣ ବାହାର କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଙ୍କ ପେଟରୁ ଭ୍ରୂଣ ବାହାରିବା ମାମଲା ବିରଳ । ୮ ଭ୍ରୂଣ ବାହାରିବା ବିଶ୍ୱର ପ୍ରଥମ ମାମଲା ବୋଲି ସେମାନେ ଦାବି କରିଛନ୍ତି ।
ସୂଚନା ଅନୁସାରେ, ଝାଡ଼ଖଣ୍ଡର ରାମଗଡ଼ରୁ ଏହି ଘଟଣା ସାମ୍ନାକୁ ଆସିଛି । ରାଞ୍ଚିର ରାନୀ ଚିଲ୍ଡ୍ରେନ୍ ହସ୍ପିଟାଲରେ ଏହି ଶିଶୁର ଚିକିତ୍ସା ଚାଲିଥିଲା ।
ତେବେ ଅପରେସନ୍ କରିଥିବା ଡାକ୍ତର କହିଛନ୍ତି ଯେ, ଅକ୍ଟୋବର ୧୦ ତାରିଖରେ ଶିଶୁଟି ଜନ୍ମ ହୋଇଥିଲା । ସେତେବେଳେ ତାର ପେଟ ଫୁଲିଥିଲା । ଦୁଇ ଦିନ ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସିଟି ସ୍କାନ୍ରୁ ଲାଗିଲା ଯେ ପେଟରେ ଡର୍ମାଇଟ୍ ସିଷ୍ଟ୍ ଥାଇପାରେ । ପ୍ରାଥମିକ ଚିକିତ୍ସା ପରେ ତାକୁ ଛାଡ଼ିଦିଆଗଲା । ୨୧ ଦିନ ପରେ ତାକୁ ପୁଣି ହସ୍ପିଟାଲକୁ ନିଆଗଲା । ଗତ ୨ ତାରିଖରେ ଅପରେସନ୍ ଦ୍ୱାରା ଶିଶୁ ପେଟରୁ ୮ ଭ୍ରୂଣ ବାହାର କରାଗଲା ।
ଶିଶୁର ଅପରେସନ୍ କରିଥିବା ଡା. ଇମ୍ରାନ କହିଛନ୍ତି ଯେ, ଏହି ସ୍ଥିତିକୁ ଡାକ୍ତରୀ ଭାଷାରେ ‘ଫିଟସ୍ ଇନ୍ ଫିଟୁ’ କୁହାଯାଏ । ବିଶ୍ୱରେ ୫-୧୦ ଲକ୍ଷ ପିଲାଙ୍କ ମଧ୍ୟରେ ଜଣଙ୍କଠାରେ ଏହି ମାମଲା ସାମ୍ନାକୁ ଆସେ । ବିଶ୍ୱରେ ଏପର୍ଯ୍ୟନ୍ତ ଏଭଳି ୨୦୦ରୁ କମ୍ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ନବଜାତକ ପେଟରୁ ଗୋଟିଏ କିମ୍ବା ୨ଟି ଭ୍ରୂଣ ବାହାରିଛି । କିନ୍ତୁ ୮ ଭ୍ରୂଣ ବାହାରିବା ବିଶ୍ୱର ପ୍ରଥମ ମାମଲା । ଫିଟସ୍ ଇନ୍ ଫିଟୁ ସ୍ଥିତିରେ ଶିଶୁର ପେଟରେ ଭ୍ରୂଣ ବଢ଼ିବାକୁ ଲାଗେ । ଗର୍ଭରେ ଯଦି ଏକାଧିକ ଶିଶୁ ବଢୁଥାନ୍ତି, ତେବେ ଭ୍ରୂଣର ବିକାଶ ସମୟରେ ଯେଉଁ କୋଷିକା ଶିଶୁ ଭିତରକୁ ଚାଲିଯାଏ, ସେହି ଭ୍ରୂଣ ଶିଶୁ ଭିତରେ ବଢ଼ିବାକୁ ଲାଗେ । ତେବେ କୋଷିକା କେମିତି ଭିତରକୁ ଯାଏ, ତା’ର କୌଣସି ଠୋସ୍ କାରଣ ନାହିଁ । ଯେଉଁ କାରଣ ଡାକ୍ତରମାନେ କହନ୍ତି, ତାହା କେବଳ ଅନୁଭବ ଆଧାରିତ ବୋଲି ସେ କହିଛନ୍ତି ।