ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ସମୟର ଅପରେସନ ପରେ ରାହୁଲଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିଛନ୍ତି ଏନଡିଆରଏଫ ଟିମ । ଏହା ମଧ୍ୟରେ ସାପ ଓ ବେଙ୍ଗ ମେଳରେ ୧୦୪ ଘଣ୍ଟା ରାହୁଲ ବିତାଇ ଥିବାର ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ରାହୁଲ ସାହୁଙ୍କ ସାହସକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବଡ଼ ବୟାନ ଦେଇଛନ୍ତି । ତେବେ ଏକ ଭିଡିଓ ସହିତ ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ଆମ ପିଲା ବଡ଼ ସାହସୀ। ବୋର୍ୱେଲ୍ ଭିତରେ ତା’ ସହିତ ୧୦୪ ଘଣ୍ଟା କାଳ ରହିଥିଲେ ଗୋଟାଏ ସାପ ଓ ଗୋଟାଏ ବେଙ୍ଗ। ଆଜି ସମଗ୍ର ଛତିଶଗଡ଼ ଉତ୍ସବ ମୁଖରିତ। ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରି ଆସୁ। ଆମ ସମସ୍ତଙ୍କର ଶୁଭକାମନା। ଏହି ଅଭିଯାନରେ ସାମିଲ ହୋଇଥିବା ସବୁ ଟିମ୍କୁ ପୁଣି ଥରେ ଅଭିନନ୍ଦନ ଓ ଧନ୍ୟବାଦ।

କେବଳ ଏତିକି ନୁହେଁ ବରଂ ପିଲାଟିକୁ ବାହାର କରି ଆଣାଯିବା ପରେ ଅନ୍ୟ ଗୋଟାଏ ପୋଷ୍ଟ୍ରେ ସେ ଲେଖିଥିଲେ: ବୁଝି ପାରୁଛି, ଆହ୍ବାନ୍ ଥିଲା ଖୁବ୍ ବଡ଼। କିନ୍ତୁ, ପ୍ରତିକୂଳ ପରିସ୍ଥିତିରେ ବି ଆମ ଟିମ୍ ଅବିଚଳିତ ଥିଲେ। ଉଦ୍ଧାର ଉପାୟ କଠିନ ଥିଲେ ବି ଆମର ଇଚ୍ଛାଶକ୍ତି ଥିଲା ଦୃଢ଼। ଈଶ୍ବରଙ୍କ କୃପା ଏବଂ ଉଦ୍ଧାରକାରୀ ଟିମ୍ର ଉତ୍ସର୍ଗୀକୃତ ଉଦ୍ୟମ ବଳରେ ରାହୁଲ୍ ସାହୁକୁ ବାହାର କରାଗଲା। ସେ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଆମର ଆଶା ଓ ପ୍ରାର୍ଥନା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।