ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ହତ୍ୟା ଧମକ । ଶନିବାର ଦିନ ଏକ ଫୋନ୍କଲ୍ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ବ୍ୟକ୍ତି ବୋଲି ପରିଚୟ ଦେଇ ତାଙ୍କୁ ‘ମୁସଲମାନଙ୍କ ବିରୋଧରେ ବିଷ ବୁଣୁଥିବାରୁ’ ହତ୍ୟା କରିବାକୁ ଧମକ ଦେଇଛି ବୋଲି ପୁଲିସ କହିଛି।
ଦୁଇ ମିନିଟରୁ ଟିକିଏ ଅଧିକ ସମୟ ଧରି ଚାଲୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସାଂସଦ ଠାକୁର ଧମକ କଲ୍ ପାଇବା ସମୟରେ କଲରଙ୍କ ସହ କଥା ହେଉଥିବାର ଦେଖାଯାଇଛି।
ଭୋପାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଠାକୁର ଶନିବାର ସକାଳେ ଟି ଟି ନଗର ପୁଲିସ ଷ୍ଟେସନରେ ଏ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି।
ଟି ଟି ନଗର ପୁଲିସ କହିଛି, ଧମକ କଲ୍ ପାଇବା ବିଷୟରେ ତାଙ୍କ ଅଭିଯୋଗ ପରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୫୦୬ (ଅପରାଧିକ ଧମକ) ଏବଂ ୫୦୭ (ଏକ ଅଜ୍ଞାତ ଯୋଗାଯୋଗ ଦ୍ୱାରା ଅପରାଧିକ ଧମକ) ଅନୁଯାୟୀ ଏକ ମାମଲା ଶନିବାର ଭୋର ସମୟରେ ପଞ୍ଜୀକୃତ ହୋଇଛି ବୋଲି ଟି ଟି ନଗର ପୁଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ଚେନ୍ ସିଂ ରଘୁବଂଶୀ କହିଛନ୍ତି।
ସାଂସଦ ଠାକୁର କରିଥିବା ଅଭିଯୋଗରେ କୁହାଯାଇଛି ଯେ ଶୁକ୍ରବାର ରାତିରେ ତାଙ୍କୁ ଏହି କଲ୍ ମିଳିଥିଲା, ଯେଉଁଥିରେ ଇକବାଲ କାସ୍କରଙ୍କ ନିକଟତର ବୋଲି ଦାବି କରିଥିବା ବ୍ୟକ୍ତି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ।
