ନୂଆଦିଲ୍ଲୀ: ରାଜ୍ୟରେ ଆରମ୍ଭ ହୋଇଯାଇଛି ମୌସୁମୀଜନିତ ବର୍ଷା । ଅନେକ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ତେବେ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷିବ । କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅଧିକ ବର୍ଷା ହେବ । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି ।
ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ମୌସୁମୀ ଆଗକୁ ବଢ଼ିବାର ନାଁ ନେଉନି । ଗତ ୪ ଦିନ ହେବ ଏହା ଦକ୍ଷିଣ ଓଡ଼ିଶାରେ ଆଂଶିକ ପ୍ରବେଶ କରିଛି । ମାତ୍ର ୬ଟି ଜିଲ୍ଲାକୁ ଛୁଇଁଛି । ହେଲେ ସେବେଠାରୁ ସେଇଠି ଅଟକିଯାଇଛି । ମୌସୁମୀ ଆଗକୁ ଯିବାକୁ ପାଗ ଅନୁକୂଳ ଥିଲେ ବି ଆଗକୁ ବଢୁନି । ମୌସୁମୀ ଦକ୍ଷିଣ ଓଡ଼ିଶାକୁ ଆଂଶିକ ସ୍ପର୍ଶ କରିଥିଲେ ବି ଏଠାରେ ରବିବାର ବର୍ଷା ଦେଖିବାକୁ ମିଳିନି । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ ଜିଲ୍ଲାରେ ଆଦୌ ବର୍ଷା ହୋଇନି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସାମାନ୍ୟ ବର୍ଷିଛି । ପୁରୀ ଜିଲ୍ଲାରେ ବି ବର୍ଷା ହୋଇନି ।
ତେବେ ୯ ଜିଲ୍ଲାରେ ରବିବାର ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ସମ୍ବଲପୁରରେ ୩୯, ହୀରାକୁଦରେ ୩୪, ନୟାଗଡ଼ରେ ୩୪, ସୋନପୁରରେ ୨୫.୯ ମିଲିମିଟର, ବୌଦ୍ଧର ୨୫.୫, ଅନୁଗୁଳରେ ୨୫.୨, ଦେବଗଡ଼ରେ ୨୫.୧, ଢେଙ୍କାନାଳରେ ୨୨.୨, ଯାଜପୁରରେ ୨୦.୩, ନୂଆପଡ଼ାରେ ୧୬.୫ ଓ ବରଗଡ଼ରେ ୧୪.୬ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୂଚନା ଦେଇଛି ।
ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଏହା ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଇଛି । ସୋମବାର ଓ ମଙ୍ଗଳବାର ରାଜ୍ୟର ଅନ୍ୟ ସ୍ଥାନକୁ ମୌସୁମୀ ସ୍ପର୍ଶ କରିବା ସମ୍ଭାବନା ଅଧିକ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚ୍ ବିଶ୍ୱାସ କହିଛନ୍ତି । ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ଜିଲ୍ଲାରେ ପ୍ରବଳ (୭ରୁ ୧୧ ସେମି) ଓ ଅତି ପ୍ରବଳ ବର୍ଷା (୧୧ରୁ ୨୦ସେମି) ବର୍ଷା ସମ୍ଭାବନା ଅଛି ।
ଆସନ୍ତା ୨୩ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ସୋମବାର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୨, ୨୩ ଓ ୨୪ ତାରିଖ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।





