ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ସଙ୍କଟରେ ଉଦ୍ଧବ ସରକାର । କାହିଁକିନା ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକମାନେ ନିର୍ବାଚନ ପରଠାରୁ ଆଉ ଶିବସେନା ସମ୍ପର୍କରେ ନାହାନ୍ତି। ସେପଟେ ଶିବସେନା ଏକନାଥ ସିନେ୍ଦଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇ ଦେଇଛି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରଥମଥର କରି ଗଣମାଧ୍ୟମ ନିକଟରେ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ସରକାର ଲାଗି କୌଣସି ତୋଫାନ କି ଭୂମିକମ୍ପ ଆସିବ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ ବିଜେପି ପୂର୍ବରୁ ମଧ୍ୟ ହାତ ଲଗାଇ ଦେଖିସାରିଛି।

ଏଥର ମଧ୍ୟ ସଫଳତା ମିଳିବନି ବୋଲି କହିଛନ୍ତି ସଞ୍ଜୟ। ଶିବସେନା ନେତା ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ହଲାଇବା ଏତେ ସହଜ ନୁହେଁ। ସବୁ ବିଧାୟକ ଖୁବ୍ ଶୀଘ୍ର ଫେରିଆସିବେ ବୋଲି ସଞ୍ଜୟ ରାଉତ କହିଛନ୍ତି। ସେମାନେ ସମ୍ପର୍କରେ ନାହାନ୍ତି ମାନେ ନୁହେଁ ଯେ ସେମାନେ ପାର୍ଟି ବିରୋଧରେ ଯାଉଛନ୍ତି। ଆମେ ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖି ରହିଛୁ, ଏବେ କିଛି କହିବା ତରବରିଆ ହେବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।