ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତକାଲି ବିଜେପି ଦ୍ରୋପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଛି । ଯାହାକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ପ୍ରଥମଥର କରି ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅନେକ ଦବାଦାର ଥିଲେ, କାହିଁକି ଏନଡିଏ ଓଡ଼ିଶାରୁ ଦ୍ରୋପଦୀ ମୁର୍ମୁଙ୍କୁ ବାଛିଲା ? ଏପରିକି ଓଡ଼ିଶା ସମେତ ଅନେକ ରାଜ୍ୟରେ ଏପରି ନେତା ରହିଛନ୍ତି ଯେଉଁମାନଙ୍କ ଛବି ଭାରତୀୟ ରାଜନୀତିରେ ବେଶ ପ୍ରସିଦ୍ଧି ଲାଭ କରିଛି । ହେଲେ ତାଙ୍କୁ ଛାଡ଼ି ଏନଡିଏ କାହିଁକି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଓଡ଼ିଶାକୁ ବାଛିଲା ? ବର୍ତ୍ତମାନ ଏପରି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩୦ ମଇରେ ଭେଟିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
କୁହାଯାଉଛି ୩୦ ମଇରେ ହିଁ ଦ୍ରୋପଦୀ ମୁର୍ମୁଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚୂଡାନ୍ତ କରାଯାଇଥିଲା । କାହିଁକିନା ଆଜିର ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟକୁ ଦେଖିବା ତାହାଲେ ସେଥିରୁ ଗୋଟିଏ ପ୍ରକାର ସ୍ପଷ୍ଟ ହୋଇ ଯାଉଛି । ଅନ୍ୟପଟେ ରାଷ୍ଟ୍ରପତି ଭୋଟ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ନିଜ ପ୍ରାର୍ଥୀ ବାଛିବା ପାଇଁ ପରସ୍ପର ସହ ମେଣ୍ଟ ବାନ୍ଧିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ପରିସ୍ଥିତିରେ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ସମୁଦାୟ ୫.୨୬ ଲକ୍ଷ ଭୋଟ ଅଛି । ଯାହା ସମୁଦାୟ ଭୋଟର ପ୍ରାୟ ୪୯ ପ୍ରତିଶତ ଅଟେ । ଏହାର ଅର୍ଥ ହେଉଛି ଯେ ପ୍ରାର୍ଥୀ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚିତ ହେବା ପାଇଁ ଏନଡିଏକୁ ୧ ପ୍ରତିଶତ ଅଧିକ ଭୋଟ୍ ଆବଶ୍ୟକ ହେବ। ଏବଂ ଏନଡିଏକୁ ଏହି ତିନୋଟି ଦଳ ହିଁ ଏହ ଦେଇପାରିବେ । ସେଗୁଡ଼ିକ ହେଲା ବିଜେଡି, ୟାଇଏସଆର ଆଉ କେସିଆରଙ୍କ ଦଳ । ଏହା ସହ ଏହି ଦଳ ଗୁଡ଼ିକ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀଙ୍କ ସାମୁହିକ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ତେଣୁ ଏନଡିଏ ନିଜର ଏକ ପ୍ରତିଶତ ଭୋଟ ପାଇଁ ଏହି ଦଳ ଗୁଡ଼ିକ ଉପରେ ନିର୍ଭର କରିବ ।
ଅନ୍ୟପଟେ ରାଷ୍ଟ୍ରପତି ପାଇଁ ୧୦ଲକ୍ଷ ୭୯ ହଜାର ୨୦୬ ଭୋଟ ଆବଶ୍ୟକ ପଡ଼ିଥାଏ । ଏନଡିଏକୁ ଜିତିବା ପାଇଁ ୫ ଲକ୍ଷ ୪୦ ହାଜର ଭୋଟ ଦରକାର । ଅର୍ଥାତ ୫୦ ପ୍ରତିଶତ । ହେଲେ ଏନଡିଏ ପାଖରେ ରହିଛି ୪ଲକ୍ଷ ୯୭ ହଜାର ୭୧୫ ଟି ଭୋଟ । ସେପଟେ ଜଗମୋହନ ରେଡ୍ଡିଙ୍କ ପାଖରେ ରହିଛି ୪୦ ହଜାର ଭୋଟି । ଯଦି ବିଜେଡି ନିଜର ୨.୮୫ ପ୍ରତିଶତ ଭୋଟ ଏନଡିଏକୁ ଦେଲେ ଅତି ସହଜରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ବିଜୟ ଲାଭ କରି ପାରିବେ । ସେପଟେ ରାଜ୍ୟରେ ବିରୋଧୀ ଦଳ ବାରମ୍ବାର ଅଭିଯୋଗ କରୁଆସୁଥିଲେ ଯେ ବିଜେଡି କେନ୍ଦ୍ରରେ ବାରମ୍ବାର ବିଜେପି ପାଖରେ ମୁଣ୍ଡ ନୁଆଁଉଛି । ଏହାକୁ ଯଦି ଆମେ ଦୃଷ୍ଟିରେ ରଖିବା ତାହାଲେ ବର୍ତ୍ତମାନ ବିଜେଡିକୁ ବଡ଼ ବାହାନା ମିଳିଯାଇଛି । କାହିଁକିନା ରାଷ୍ଟ୍ରପତି ପ୍ରାର୍ଥୀ ହିଁ ହେଉଛନ୍ତି ଓଡ଼ିଶାର । ତେଣୁ ବିଜେଡି ଦ୍ରୋପଦୀ ମୁର୍ମୁଙ୍କୁ ନିଶ୍ଚିତ ଭାବରେ ସମର୍ଥନ ଜଣାଇବ ।
କାହିଁକିନା ବିଜେପି ଯଦି ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଥିଲା ତାହାଲେ ସାରା ଦେଶରେ ଏପରି ଅନେକ ପ୍ରତିଷ୍ଠିତ ନେତା ଅଛନ୍ତି । ହେଲେ ଏନଡିଏକୁ ସମର୍ଥନ ଜୁଟାଇବା କଷ୍ଟ ହୋଇ ପଡ଼ନ୍ତା । ତେଣୁ ବିଜେପି ଓଡ଼଼ିଶାରୁ ପ୍ରାର୍ଥୀ ଦେଇ ବିଜେଡି ଭୋଟ ହାତେଇବା ଲକ୍ଷ୍ୟରେ ରହିଛି । କେବଳ ଏତିକି ନୁହେଁ ବରଂ ଏହାର ବାସ୍ନା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟରୁ ହିଁ ଜଣାପଡ଼ୁଥିଲା । ଏନଡିଏ ଭଲଭାବରେ ଜାଣିଛି ଯେ ଓଡ଼ିଶାରୁ ପ୍ରାର୍ଥୀ ଦେଲେ ବିଜେଡି ଭୋଟ ଦେବା ସୁନିଶ୍ଚିତ । ଅନ୍ୟପଟେ ଦ୍ରୋପଦୀ ମୁର୍ମୁଙ୍କ ରାଜନୈିକ ଦକ୍ଷତା ବିବାଦ ନାହିଁ କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ସଂଯୋଗ ଅଟେ । କାହିଁକିନା ଏନଡିଏର ଭୋଟ ଅଭାବକୁ ବିଜେଡିର ସମର୍ଥନ ।
