ନୂଆଦିଲ୍ଲୀ: ଦେଶରେ ଏବେ ଉପର ମୁହାଁ କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ବଢ଼ିବାକୁ ଲାଗିଛି । 3 ହଜାର ତଳେ ରହୁଥିବା ସଂକ୍ରମଣ ଏବେ ୧୨ ହଜାର ପାର କରିଛି । ତେବେ ବଢ଼ୁଥିବା ସଂକ୍ରମଣକୁ ନେଇ ପୁଣି ଦେଶବାସୀଙ୍କୁ ଚିନ୍ତା ବଢ଼ିଯାଇଛି । ବଢୁଥିବା ସଂକ୍ରମଣକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଆଜି ଅପରାହ୍ନରେ ଏକ ବିଶେଷଜ୍ଞ ଦଳ ସହ ଆଲୋଚନା କରିବେ ।
ଏହା ପୂର୍ବରୁ ଜୁନ ୧୩ରେ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ସଂକ୍ରମଣ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଦେଶରେ କେତକ ରାଜ୍ୟରେ ଏବେ ବି କୋରୋନା ସଂକ୍ରମଣ କମିନାହିଁ, ଏଥିପାଇଁ କୋଭିଡ କଟକଣା ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ଗୁଡିକୁ ପରାମର୍ଶ ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । କୋରୋନା ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଓ କୋଭିଡ ନିୟମ ଜାରି ରଖିବା ସହ ଏଗୁଡିକ ତଦାରଖ କରିବାକୁ କହିଥିଲେ ।ସେହିପରି ଜୁନ୍ ୧ରେ ଆରମ୍ଭ ହେଇଥିବା ହର ଘର ଦସ୍ତକ ୨.୦ ଅଭିଯାନର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହ ୧୨ରୁ ୧୭ ବର୍ଷ ବୟସ ବର୍ଗର ସମସ୍ତ ହିତାଧିକାରୀଙ୍କୁ ଟୀକାକରଣକୁ ତ୍ବରାନ୍ବିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।
