ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ବିଦ୍ରୋହୀ ନେତାମାନେ ଆସାମର ଏକ ପଞ୍ଚତାରକା ହୋଟେଲରେ ରହୁଛନ୍ତି । ଯାହାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏ ପ୍ରସଙ୍ଗରେ ଗୁରୁବାର ସନ୍ଧ୍ୟା ବେଳେ ନୂଆଦିଲ୍ଲୀରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଆସାମରେ ଅନେକ ଭଲ ହୋଟେଲ୍ ଥିବାରୁ ଯେ’କେହି ଯାଇ ରହିପାରିବେ। ଏଥିରେ କିଛି ଯାଏଆସେ ନାହିଁ। ମହାରାଷ୍ଟ୍ରର ବିଧାୟକମାନେ ଆସାମରେ ରହୁଛନ୍ତି କି, ନାହିଁ ଜାଣେନା। ଅନ୍ୟ ରାଜ୍ୟର ବିଧାୟକମାନେ ମଧ୍ୟ ଆସି ଆସାମରେ ରହିପାରିବେ। କିନ୍ତୁ, ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଦ୍ରୋହୀ ବିଧାୟକମାନଙ୍କୁ ଆତିଥ୍ୟ ଦେଇଥିବା ହୋଟେଲ୍କୁ ବୁଧବାର ଦିନ ଯାଇ ହିମନ୍ତ ବିଶ୍ବଶର୍ମା ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ଭୂମିକା ନେଇଛନ୍ତି। ରାଜ୍ୟର ବନ୍ୟା ପରିସ୍ଥିତିକୁ ଉପକ୍ଷୋ କରି ରାଜନୀତିରେ ମାତି ଥିବାରୁ ବିରୋଧୀ ଦଳର ନେତାମାନେ ମୁଖ୍ୟମନ୍ତ୍ରୀ ଶର୍ମାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ପୂର୍ବରୁ ମଧ୍ୟ ସେ କହିଥିଲେ ଯେ, ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଅଧିକ ରାଜସ୍ବ ଆବଶ୍ୟକ ପଡୁଥିବାରୁ ଆସାମ ପର‌୍ୟ୍ୟଟକମାନଙ୍କୁ ଆମନ୍ତ୍ରଣ କରୁଛି। ସେ କହିଥିଲେ, ଗୌହାଟୀରେ ଅନେକ ବିଳାସମୟ ହୋଟେଲ୍ ରହିଛି। ଯଦି ସେ ହୋଟେଲ୍ଗୁଡ଼ିକର କୋଠରି ପୂର୍ଣ୍ଣ ହୋଇଯାଏ ଆମେ ଖୁସି ହେବୁ। କାରଣ ତା’ଦ୍ବାରା ଅଧିକ ରାଜସ୍ବ ମିଳିବ। ଆମେ ‘ଜିଏସ୍ଟି’ ଜରିଆରେ ଉପାର୍ଜନ କରିପାରିବୁ। ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟାଜନିତ ଅସୁବିଧା ସମୟରେ ଆମେ ରାଜସ୍ବ ଆବଶ୍ୟକ କରୁଛୁ। ଏ ସମୟରେ ଆମର ଅଧିକାଂଶ ହୋଟେଲ୍ରେ ଅଳ୍ପ ଲୋକ ରହୁଥିବାରୁ ବା ଫାଙ୍କା ପଡ଼ିଥିବାରୁ ଆମେ ଲକ୍ଷ୍ମୀଦେବୀଙ୍କୁ ଫେରାଇ ଦେବୁ କାହିଁକି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।